ଶିଖ୍ ସମାଜର ନାଗରିକଙ୍କୁ ଦଳରେ ସ୍ୱାଗତ କଲେ ଧମେନ୍ଦ୍ର

 ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମରେ ଏବଂ ସ୍ୱାଧୀନତା ପରେ ଶିଖ୍ ସମାଜର ଦେଶ ପାଇଁ ଅନେକ ଯୋଗଦାନ ରହିଛି । ଦେଶରେ ସୈନିକ ତିଆରି କରିବା ହେଉ କିମ୍ବା ବ୍ୟବସାୟକୁ ଆଗକୁ ନେବାରେ, ଶିଖ୍ ସମାଜର ବଡ ଯୋଗଦାନ ରହିଛି ବୋଲି ରବିବାର ସମ୍ବଲପୁରରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ମିଶ୍ରଣ ପର୍ବରେ ଶିଖ୍ ସମାଜର ଅନେକ ନାଗରିକମାନଙ୍କୁ ଦଳରେ ସ୍ୱାଗତ କରି ସେ କହିଛନ୍ତି  ଅନେକ ସମୟରେ ଗୁରୁଦ୍ୱାରକୁ ଦର୍ଶନ ପାଇଁ ଯିବା ଏବଂ ସେବାରେ ସମୟ ଅତିବାହିତ କରିବା ମୋର ସୌଭାଗ୍ୟର ବିଷୟ । ମାତୃଭୂମି ପ୍ରତି ସର୍ବଦା ସମର୍ପିତ ରହିବାର ବାର୍ତ୍ତା ଦେଉଥିବାର ସମାଜ ହେଉଛି ଶିଖ୍ ସମାଜ । ଭାଇଚାରାରେ ବିଶ୍ୱାସ ରଖୁଥିବାର ଏହି ସମାଜର ବିଚାରଧାରା ବିଶ୍ୱକୁ ଦିଗଦର୍ଶନ ଦେଇଛି । ଗୁରୁ ନାନକ ଦେବଜୀ ସମଗ୍ର ରାଷ୍ଟ୍ରର ଚେତନାକୁ ଜାଗ୍ରତ କରିଥିଲେ । ଆମର ସମସ୍ତ ଦଶ ଗୁରୁ ଭାରତକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ପ୍ରଭାବିତ ହୋଇ ଦଳରେ ମିଶିଥିବାରୁ ଶ୍ରୀ ପ୍ରଧାନ ଶିଖ ସମାଜର ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଶିଖ୍ ସମୁଦାୟର ବନ୍ଧୁମାନଙ୍କ ଦଳରେ ଯୋଗଦାନ ବିଜେପିର ସଂଗଠନକୁ ଅଧିକ ସୁଦୃଢ କରିବ ବୋଲି କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।