ଆଇଟିଆରର ଗୁପ୍ତ ତଥ୍ୟ ଲିକ ମାମଲା : ହାଇକୋର୍ଟରୁ ଅଭିଯୁକ୍ତକୁ ଜାମିନ

 କଟକ  : ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଲିକ୍ ମାମଲାରେ ଗିରଫ ହୋଇଥିବା ଚାନ୍ଦିପୁର ଡିଆରଡିଓର ସମନ୍ୱିତ ପରୀକ୍ଷଣ ରେଞ୍ଜ (ଆଇଟିଆର)ର ପୂର୍ବତନ ଚୁକ୍ତିଭିତ୍ତିକ ଏସ୍ଇ ଅପରେଟର ବସନ୍ତ କୁମାର ବେହେରାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୫ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ମୁଚାଲିକାରେ ନିମ୍ନ ଅଦାଲତ ବସନ୍ତକୁ ଜାମିନରେ ଛାଡ଼ିବେ । ସର୍ତ୍ତ ଅନୁଯାୟୀ ମାମଲାର ପ୍ରତି ତାରିଖରେ ସେ ଅଦାଲତରେ ହାଜର ହେବା ସହ ଜାମିନ ପାଇବା ପରେ ସେ ରହିବା ସ୍ଥାନର ସାନି ଠିକଣା, ମୋବାଇଲ ନମ୍ବର, ଇମେଲ ତଥ୍ୟ ଅଦାଲତ ତଦନ୍ତକାରୀ ଏଜେନ୍ସିକୁ ପ୍ରଦାନ କରିବେ । ବିନା ଅନୁମତିରେ ଅଦାଲତଙ୍କ କାର୍ଯ୍ୟକ୍ଷେତ୍ର ଅଞ୍ଚଳରୁ ବାହାରକୁ ଯିବେ ନାହିଁ । ପ୍ରତି ୧୫ ଦିନରେ ଥରେ ସ୍ଥାନୀୟ ଥାନାରେ ହାଜିରା ଦେବେ । ଯଦି ସର୍ତ୍ତ ଉଲ୍ଲଂଘନ ହୁଏ ତେବେ ଜାମିନ ଖାରଜ ହେବ ବୋଲି ହାଇକୋର୍ଟ ନିଦେ୍ଦର୍ଶରେ ଉଲ୍ଲେଖ କରିଛନ୍ତି ।
ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ୨୦୨୧ ସେପ୍ଟେମ୍ବର ୧୫ରୁ ସେ ଗିରଫ ହୋଇ ଜେଲରେ ଅଛନ୍ତି । ଏପର୍ଯ୍ୟନ୍ତ ନିମ୍ନ ଅଦାଲତରେ ମାମଲାର ଶୁଣାଣି ସରିନାହିଁ । ଚାର୍ଜସିଟରେ ୨୮ଜଣଙ୍କ ନାମ ଉଲ୍ଲେଖ କରାଯାଇଥିଲା । ଅପରପକ୍ଷରେ ବାଲେଶ୍ୱର ତୃତୀୟ ଅତିରିକ୍ତ ଦୌରାଜଜ୍ଙ୍କ ଅଦାଲତରେ ବିଚାରଧୀନ ଏ ସଂପର୍କିତ ମାମଲାରେ ୪ବର୍ଷରେ ୧୯ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି । ଏହାଦ୍ୱାରା ସମ୍ବିଧାନ ପ୍ରଦତ୍ତ ତ୍ୱରିତ ଶୁଣାଣି ଅଧିକାରର ଉଲଂଘନ ହୋଇଚି । ହାଇକୋର୍ଟ ଏପରି ଯୁକ୍ତିକୁ ଗ୍ରହଣ କରି ବସନ୍ତଙ୍କ ଜାମିନ ମଞ୍ଜୁର କରିଛନ୍ତି । 
ସୂଚନାଯୋଗ୍ୟ ପାକିସ୍ତାନୀ ମହିଳାଙ୍କୁ ଆଇଟିଆର ମିଶାଇଲ ପରୀକ୍ଷା ସଂପର୍କିତ ଗୁପ୍ତ ତଥ୍ୟ ଆବେଦନକାରୀ ଓ ଅନ୍ୟ କେତେକ ବ୍ୟକ୍ତି ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ଆବେଦନକାରୀ ଓ ଅନ୍ୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୨୦୨୧ରେ ଗିରଫ କରିଥିଲା । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶୁତୋଷ ମିଶ୍ର ମାମଲା ପରିଚାଳନା କରୁଥିଲେ ।