ନାଳ ଉପରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲ
କଟକ: କଟକ ସହରର ଜନଗହଳିପୂର୍ଣ୍ଣ ରାସ୍ତା ଓ ଗଳିକନ୍ଦିରେ ଥିବା ନାଳ ଉପରେ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି ରଖିଥିବା ସାଧାରଣରେ ଅଭିଯୋଗ ହେଉଛି । ନାଳ ଉପରେ ପଡ଼ିଥିବା ସ୍ଲାବ ଉପରେ ଅସ୍ଥାୟୀ ଘର ନିର୍ମାଣ କରି କେଉଁଠି ଭଡ଼ାସୂତ୍ରେ ଦୋକାନ ଦିଆଯାଉଛି ତ କେଉଁଠି ନାଳକୁ ଅବରୋଧ କରି ବ୍ୟବସାୟ ପ୍ରତିଷ୍ଠାନ ଖୋଲାଯାଇଛି । କେତେକ ସ୍ଥାନରେ ନାଳ ଉପରେ ଅସ୍ଥାୟୀ ଘର କରି ଲୋକମାନେ ରହୁଛନ୍ତି । ନାଳ ଉପରେ ବେଆଇନ ଜବର ଦଖଲ ଥିବା ଯୋଗୁଁ କଟକ ମହାନଗର ନିଗମ ଏହାକୁ ପାତର ଅନ୍ତର ନୀତି ଆପଣାଇ ଉଚ୍ଛେଦ କରୁଥିବା ଅଭିଯୋଗ ହେଉଛି । ଯାହାଦ୍ୱାରା କଟକ ସହରରେ ଆଜି ପର୍ଯ୍ୟନ୍ତ ନାଳ ଉପରୁ ଜବର ଦଖଲ ଉଚ୍ଛେଦ ହୋଇପାରୁନାହିଁ । ସହରର ନାଳ ସଠିକ୍ ଭାବରେ ସଫେଇ କାର୍ଯ୍ୟ ସହ ପଙ୍କୋଦ୍ଧାର କରିବା ପାଇଁ ସିଏମସି ୩ଟି ଠିକା ସଂସ୍ଥା ମାଧ୍ୟମରେ କାର୍ଯ୍ୟ କରାଉଥିବାବେଳେ ଠିକା ସଂସ୍ଥା ଲୋକ ଦେଖାଣିଆ କାର୍ଯ୍ୟ କରି ଜନ ସାଧାରଣଙ୍କ ଟିକସ୍ ଅର୍ଥ ଲୁଟ କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ନାଳ ନିୟମିତ ସଫେଇ ଓ ପଙ୍କୋଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ସିଏମସିର ଦାୟିତ୍ୱରେ ଥିବା ଅଧିକାରୀ ବିଭାଗକୁ ସଠିକ ରିପୋର୍ଟ ପ୍ରଦାନ କରୁନଥିବା ଅଭିଯୋଗ ହେଉଛି । କଟକ ସହରର ଜନଗହଳିପୂର୍ଣ୍ଣ ସ୍ଥାନ ବାଦାମବାଡ଼ି, କଲେଜଛକ, ମଙ୍ଗଳାବାଗ, ରାଣୀହାଟ, ବକ୍ସିବଜାର, ତଳ ତେଲେଙ୍ଗାବଜାର ଓ ବଜ୍ରକବାଟି ରୋଡ଼ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବଡ଼ ବଡ଼ ନାଳ ଉପରେ ଜବରଦଖଲ ରହିଥିବା ଯୋଗୁ ସଫେଇ କାର୍ଯ୍ୟ ହୋଇପାରୁନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଜବର ଦଖଲ ଉଚ୍ଛେଦ ପାଇଁ ସିଏମସି କମିଶନର ନଗର ସ୍ୱାସ୍ଥ୍ୟ ଅଧିକାରୀ ଓ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନଥିବା ଦେଖାଯାଉଛି । ଉଚ୍ଚତମ ନ୍ୟାୟାଳୟ ନାଳ ଉପରୁ ଓ ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ନିଦେ୍ର୍ଦଶ ଦେବା ସତ୍ତ୍ୱେ ସିଏମସି କର୍ତ୍ତୃପକ୍ଷ ଏହାକୁ ଏକ ପ୍ରକାର ବେଖାତିର କରୁଥିବା ସାଧାରଣରେ ଅଭିଯୋଗ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଜୁନ ମାସ ପ୍ରଥମ ସପ୍ତାହ ସୁଦ୍ଧା ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହେବାର ନିୟମ ରହିଛି । ତେବେ ସିଏମସି ଅଧିକାରୀଙ୍କ ଅପାରଗତା ଓ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁ ମାର୍ଚ୍ଚ ମାସ ସରିବାକୁ ଆସିଲାଣି ହେଲେ ପଙ୍କୋଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ଯାହା ଦ୍ୱାରା କାଳବୈଶାଖୀ ବର୍ଷାରେ ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । କମିଶନର ଅନାମ ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପଙ୍କୋଦ୍ଧାର ସମୀକ୍ଷା ବୈଠକରେ ଆସନ୍ତା ଏପି୍ରଲ ମାସ ଶେଷ ସୁଦ୍ଧା ପଙ୍କୋଦ୍ଧାର କାର୍ଯ୍ୟ ଶେଷ କରିବା ପାଇଁ ଠିକା ସଂସ୍ଥାମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ନାଳ ଉପରୁ ଜବରଦଖଲ ଉଚ୍ଛେଦ ନିମନ୍ତେ କମିଶନର ଓ ମେୟରଙ୍କୁ ଲିଖିତ ଅଭିଯୋଗ କରିବାର ଦୀର୍ଘଦିନ ପରେ ମଧ୍ୟ ସିଏମସି ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ନାଳ ଉପରୁ ବେଆଇନ ଜବର ଦଖଲ ଉଚ୍ଛେଦ ନିମନ୍ତେ ସହରର ସଚେତନ ନାଗରିକ ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଭିଯୋଗ ଆଧାରରେ ବିଭାଗ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ସିଏମସି କମିଶନରଙ୍କୁ ନିୟୋଜିତ କରିଥିବା ସୂଚନା ମିଳିଛି । ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।