ଦିଗପହଣ୍ଡିରେ ଡାଇରିଆ ନିୟନ୍ତ୍ରଣାଧୀନ

 ଭୁବନେଶ୍ୱର : ଏକାଭିମୁଖି ଓ ସମନ୍ୱିତ କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ର ଉସ୍ତପଲ୍ଲୀରେ ଦେଖାଦେଇଥିବା ଡାଇରିଆକୁ ପୂର୍ଣ୍ଣ ନିୟନ୍ତ୍ରଣାଧୀନ କରାଯାଇଛି । ଚଳିତ ୬ରେ ବିକ୍ଷିପ୍ତ ଭାବେ ଆରମ୍ଭ ହୋଇଥିବା ଏହି ରୋଗ ସଂକ୍ରମଣ ରୂପ ନେବା ପୂର୍ବରୁ ବ୍ୟାପକ ସଚେତନତା ଅଭିଯାନ, ଘରକୁ ଘର ନିରୀକ୍ଷଣ ଆଦି ମାଧ୍ୟମରେ ସ୍ଥିତିରେ ଆଖିଦୃଶିଆ ସୁଧାର ଆସିଛି ।  ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ  ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ୬ ତାରିଖ ଠାରୁ ଆଜି ଅପରାହ୍ନ ସୁଦ୍ଧା ଉସ୍ତପଲ୍ଲୀରେ ସମୁଦାୟ ୧୧ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଆଜି ସେହି ଗାଁରୁ କୌଣସି ନୂଆ ରୋଗୀ ହସ୍ପିଟାଲ ଆସିନାହାନ୍ତି । ସଂକ୍ରମିତ ୧୧ ଜଣଙ୍କ ମଧ୍ୟରୁ ଦୁଇଦିନ ଭିତରେ ୬ ଜଣଙ୍କୁ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲକୁ  ପଠାଯାଇଥିଲା ଏବଂ ଅବଶିଷ୍ଟ ୫ ଜଣଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ଆଜି ଅପରାହ୍ନ ସୁଦ୍ଧା ଏମକେସିଜିରୁ ୫ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଡାଇରିଆରେ ୨ ଜଣଙ୍କର ମୃତୁ୍ୟ ବିଷୟରେ ମିଳିଥିବା ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ତାହା ଡାଇରିଆ ଜନିତ ନ ଥିଲା ବୋଲି ଜଣାପଡିଛି । ଡାଇରିଆ ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇଥିଲେ ସୁଦ୍ଧା କ୍ଷେତ୍ରସ୍ତରୀୟ ସଚେତନତା ଏବଂ ନିୟମିତ ବିଶୋଧନ କାର୍ଯ୍ୟ ଜାରି ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି ।