ଆଗକୁ ଆସୁଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା : ଚାପ ଖେଳିବାକୁ ଡଙ୍ଗା ନାହିଁ 

ଆନନ୍ଦପୁର : ଆଗକୁ ଆସୁଛି ଜଗତର ନାଥ ବିଶ୍ୱନିୟନ୍ତା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଅକ୍ଷୀ ତୃତୀୟରୁ ଚନ୍ଦନ ପୂର୍ଣମୀ ପର୍ଯ୍ୟନ୍ତ ଦୀର୍ଘ ୧୩ ଦିନ ଧରି ମହାପ୍ରଭୁ ଗରମରୁ ଟିକେ ମୁକ୍ତି ପାଇବାପାଇଁ ପବିତ୍ର ବୈତରଣୀ ନଦୀରେ ଚାପ ଖେଳନ୍ତି । ଆଜ୍ଞା ମାଳ ମିଳିବାପରେ ଜଗନ୍ନାଥ ମହାପ୍ରଭୁଙ୍କ ଚଳନ୍ତି ପ୍ରତୀମା ମଦନ ମୋହନଙ୍କୁ ଏକ ସୁସଜିତ ପାଲିଙ୍କିରେ ଶୋଭାଯାତ୍ରାରେ ରାଜଘାଟ ପର୍ଯ୍ୟନ୍ତ ନିଆଯାଏ । ସେଠାରେ ନାଉରୀ ଡ଼ଙ୍ଗାକୁ ସଫା କରି ମହା ପ୍ରଭୁଙ୍କୁ ଚାପ ଖେଳାଇବା ପାଇଁ ବ୍ୟଗ୍ରତାର ସହିତ ଅପେକ୍ଷା କରିଥାଏ । ଏହି ଯାତ୍ରାକୁ ଦେଖିବାକୁ ଶହଶହ ଭକ୍ତ ଏକତ୍ରିତ ହୋଇଥାନ୍ତି । କିନ୍ତୁ ପରିତାପର ବିଷୟ ଆନନ୍ଦପୁରର ଶ୍ରୀ ଶ୍ରୀ ଦଧିବାମନ ଜୀୟୁଙ୍କ ମନ୍ଦିର ଦେବୋତର ବିଭାଗ ଅଧୀନରେ ଥିବା ବେଳେ ମହାପ୍ରଭୁଙ୍କ ଚାପ ଖେଳ ପାଇଁ ଗୋଟିଏ ନିଜସ୍ୱ ଡ଼ଙ୍ଗା ନାହିଁ । ଯିଏ ଜଗତର ନାଥ ଯାହାଙ୍କ ପାଇଁ ସାରା ବିଶ୍ୱ ଚାଲିଛି ସେହି ସୃଷ୍ଟି କର୍ତ୍ତା ଆଜି ନିଜେ ଅବହେଳିତ । ତାଙ୍କ ଚାପ ଖେଳ ପାଇଁ ଫଟା ଦଦରା ଡ଼ଙ୍ଗା ପାଲଟିଛି ସାହା ଭରସା । ଏହି ମନ୍ଦିରର ମୁଖ୍ୟ ହେଉଛନ୍ତି ଉପଜିଲାପାଳ । ଉପଜିଲାପାଳଙ୍କ ସରକାରୀ ଆବାସ ଘସିପୁରାରେ ଥିବା ବେଳେ ସରକାରୀ କାର୍ଯ୍ୟାଳୟ ଆନନ୍ଦପୁରରେ ଅବସ୍ଥିତ । ଆଜକୁ ୪୫ ବର୍ଷ ପୂର୍ବେ ଆନନ୍ଦପୁରରେ ପକ୍କା ବ୍ରିଜ ନଥିଲା । ସେତେ ବେଳେ ଉପଜିଲାପାଳ ପ୍ରଥମେ ଡ଼ଙ୍ଗା ଦ୍ୱାରା ଆନନ୍ଦପୁର କାର୍ଯ୍ୟାଳୟକୁ ଆସୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଲଂଚ, ଜିପ ଆଉ ଏବେ ସ୍କର୍ପିଓରେ ଆସୁଛନ୍ତି । ମାତ୍ର ଯିଏ ବିଶ୍ୱ ନିୟନ୍ତା ସେ ଆଗରୁ ନୂଆ ଡଙ୍ଗାରେ ଚାପ ଖେଳୁଥିବା ବେଳେ ପରବର୍ତ୍ତୀ ପର୍ଯାୟରେ ବୈତରଣୀ ନଦୀ ଉପରେ ବ୍ରିଜ ହେବା ଦ୍ୱାରା ଡ଼ଙ୍ଗାର ଆବଶ୍ୟକତା କମିଯିବାରୁ ରକ୍ଷଣ ବେକ୍ଷଣ ଅଭାବରୁ ଡ଼ଙ୍ଗା ସବୁ ଭାଙ୍ଗି ରୁଜିଗଲା । ଆଉ ବିଗତ କିଛି ବର୍ଷ ହେବ ଭଉଁରୀ ଯାତ୍ରା ଆସିଲେ ମନ୍ଦିର ପ୍ରଶାସନଙ୍କ ମୁଣ୍ଡରେ ଭଉଁରୀ ଖେଳୁଛି । କେଉଠୁ ଡ଼ଙ୍ଗାଟିଏ ପାଇବେ । ଜଉଠୁ ହେଉ ଫୁଟା ଦଦାର ଭଙ୍ଗା ଡ଼ଙ୍ଗାଟିଏ ପାଇଲେ ନିଜକୁ ଭାଗ୍ୟବାନ ମଣନ୍ତି ମନ୍ଦିର ପ୍ରଶାସନ । ଚାପ ଖେଳ ସମୟରେ ଡ଼ଙ୍ଗା ଭିତରେ ପାଣି ପଶିଯାଏ । ଯାହାକୁ ସେବାୟତ ବାଲଟି ସାହାଯ୍ୟରେ ଅନବରତ ବାହାର କରୁଥାନ୍ତି । ଏଭଳି ବିପଦଜନକ ଭାବେ ଫୁଟା ଡଙ୍ଗାରେ ମହାପ୍ରଭୁ ଚାପ ଖେଳନ୍ତି । ଏଭଳି ଏକ ସ୍ପର୍ଶକାତର ଘଟଣା ଉପରେ ନିଜେ ଉପଜିଲାପାଳ ଦୃଷ୍ଟି ଦିଅନ୍ତୁ । ମହାପ୍ରଭୁଙ୍କ ପାଇଁ ଗୋଟିଏ ନୂତନ ଛୋଟିଆ ଡ଼ଙ୍ଗାଟିଏ ତିଆରି କରିବା ପାଇଁ ଆଗ୍ରହ ଦେଖାନ୍ତୁ । ଯଦ୍ୱାରା କି ମହାପ୍ରଭୁ ତାଙ୍କ ନିଜସ୍ୱ ଡଙ୍ଗାରେ ଚାପ ଖେଳି ପାରିବେ ।