୩୦ ବର୍ଷ ଧରି ଦାବି ପରେବି... ଖରସ୍ରୋତା ଶେଷ ମୁଣ୍ଡରେ ହେଉନି ବ୍ୟାରେଜ୍
ଯାଜପୁର : ସରକାର ପରେ ସରକାର ବଦଳୁଛି, କିନ୍ତୁ ଖରସ୍ରୋତାର ଶେଷ ମୁଣ୍ଡରେ ବ୍ୟାରେଜ ନିର୍ମାଣ ହୋଇପାରୁନି । ଖରସ୍ରୋତା ନଦୀର ଶେଷ ମୁଣ୍ଡ କଞ୍ଚିପୁର ପର୍ଯ୍ୟନ୍ତ ୪ଟି ବ୍ୟାରେଜ ନିର୍ମାଣ ପାଇଁ ବିଞ୍ଝାରପୁର ଅଞ୍ଚଳର ବୁଦ୍ଧିବୀବୀ, ସାମାଜିକ ଅନୁଷ୍ଠାନ ଦୀର୍ଘ ୩୦ ବର୍ଷ ଧରି ଦାବି କରି ଆସୁଛନ୍ତି । ହେଲେ ପ୍ରଶାସନ କି ଶାସକ ଶୁଣିବାର ନାଁ ଧରୁନାହାନ୍ତି । ଖରସ୍ରୋତାର ଶେଷମୁଣ୍ଡରେ ବ୍ୟାରେଜ ନିର୍ମାଣ କରାଯାଇଥିଲେ ସମୁଦ୍ର ଲୁଣିଆ ପାଣିକୁ ଅବରୋଧ କରାଯାଇ ପାରିଥାଆନ୍ତା । ବାଙ୍ଗରା, ଜରୀ, ସିଂହପୁର, ବାଳମୁକୂଳି, ରୁଦ୍ରପୁର, କଂଟିପୁର, ଅଙ୍ଗାଳୋ ଆଦି ଶହେ ଖଣ୍ଡ ଗ୍ରାମବାସୀ ଏବେ ନଦୀଧାରରୁ ଆସୁଥିବା ଭୂତଳ ଜଳକୁ ବ୍ୟବହାର କରିବା ଫଳରେ ପେଟରୋଗ, ଗ୍ୟାସ, ଡାଇରିଆ, ଲିଭର ରୋଗରେ ପୀଡିତ ହେଉଛନ୍ତି ।
ଖରସୋ୍ରତା ନଦୀ ଅବବାହିକା ଅଞ୍ଚଳରେ ପାନୀୟ ଜଳ ଦୂଷିତ ହୋଇପଡୁଛି । ବର୍ଷା ଋତୁ ଆସିବା ପରେ ସମଗ୍ର ଯାଜପୁର ଜିଲ୍ଲା ଓ ବିଞ୍ଝାରପୁର ଅଞ୍ଚଳରେ ଡାଇରିଆ ପ୍ରଭାବରେ ବହୁ ବ୍ୟକ୍ତି ପ୍ରଭାବିତ ହୋଇଚାଲିଛନ୍ତି । ଏହାର ଏକମାତ୍ର କାରଣ ଦୂଷିତ ପାନୀୟ ଜଳ ଓ ପ୍ରଦୂଷିତ ଖାଦ୍ୟ ସାମଗ୍ରୀ । ଏହାର ନିରାକରଣ ପାଇଁ ବିଭିନ୍ନ ଅଞ୍ଚଳରୁ ବହୁଥର ଦାବି ହୋଇ ଆସୁଥିଲେ ହେଁ ତାହା ସରକାରଙ୍କ କର୍ଣ୍ଣଭେଦ କରି ପାରୁନି ।
ଖରସୋ୍ରତା ନଦୀ ବଞ୍ଚାଅ ନାମକ କମିଟି ଜରିଆରେ ଖରସ୍ରୋତା ନଦୀର ଶେଷ ମୁଣ୍ଡ କଣ୍ଟିପୁର ପର୍ଯ୍ୟନ୍ତ ୪ଟି ବ୍ୟାରେଜ ନିର୍ମାଣ ପାଇଁ ଦୀର୍ଘ ୩୦ ବର୍ଷ ହେଲା ଦାବି କରାଯାଇଆସୁଛି । ସରକାର ସେଥିପ୍ରତି କର୍ଣ୍ଣପାତ ନକରିବା ଫଳରେ ଏବେ ନେଡି ଗୁଡ କହୁଣୀକୁ ବହିଯାଇଛି । ଅପରପକ୍ଷରେ ଗଭୀର ନଳକୂପ ଖନନ ପାଇଁ ସରକାରଙ୍କ ଠାରୁ ଆସୁଥିବା ଅନୁଦାନରେ ଗ୍ରାମାଞ୍ଚଳରେ ନଳକୂପ ଖନନ ଧର୍ମକୁ ଆଖିଠାର ମାରିବା ପରି ହୋଇଛି । ଏବେକାର ସରକାରଙ୍କ ପକ୍ଷରୁ ଡାଇରିଆରେ ରୋକ ଲଗାଇବା ସହିତ ପ୍ରତି ବ୍ଲକରେ ନିର୍ବାଚନ ପୂର୍ବରୁ ନଳକୂପ ଖନନ ହୋଇଛି କି ନାହିଁ ତାହାର ସଂଖ୍ୟା ନିର୍ଦ୍ଧାରଣ କରାଯିବା ସହ ହଡପ କରାଯାଇଥିବା ଅର୍ଥ ପାଇଁ କଠିନ ଦଣ୍ଡ ଦିଆଯିବାର ଆବଶ୍ୟକତା ଅଛି ବୋଲି ବୁଦ୍ଧିଜୀବୀ ମହଲରୁ ଦାବି କରାଯାଉଛି । ତାହା ହେଲେ ଯାଇ ଏକ ସୁସ୍ଥ ଗାଁ ଓ ପଞ୍ଚାୟତ ଏବଂ ଶେଷରେ ଏକ ସୁସ୍ଥ ଜିଲା ଗଠନ ହୋଇ ପାରିବ ।