ଆଜି ବିଧାନସଭା ଘେରିବ ବିଜେଡ଼ି

ଭୁବନେଶ୍ୱର : ଆସନ୍ତାକାଲି ବିଜୁ ଜନତା ଦଳ ପକ୍ଷରୁ ବିଧାନସଭା ଘେରାଉ ହେବ । ପଞ୍ଚାୟତିରାଜ ପ୍ରତିନିଧିଙ୍କ କ୍ଷମତା ହ୍ରାସ ପ୍ରସଙ୍ଗରେ ଦଳ ଗର୍ଜନ କରିବ । ବଡ଼ ଧରଣର ଘେରାଉ ପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଛାତ୍ର, ଯୁବ ଓ ମହିଳା ମୋର୍ଚ୍ଚା ଠାରୁ ନେଇ ବିଧାୟକ ଓ ବରିଷ୍ଠ ନେତାମାନେ ଆନ୍ଦୋଳନକୁ ସଫଳ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ୨୦ ହଜାରରୁ ଉଦ୍ଧ୍ୱର୍ କର୍ମୀ ଏହି ଘେରାଉ କାର୍ଯ୍ୟକ୍ରମରେ ସାମିଲ୍ ହେବେବୋଲି ଜାଣିବାକୁ ମିଳିଛି ।
ବିଜେଡ଼ିର ଅଭିଯୋଗ ହେଉଛି, ପିଏମ୍ ଆବାସ, ଅନ୍ତ୍ୟୋଦୟ ଯୋଜନା, ଜଳ ଜୀବନ ମିଶନ, ସର୍ବୋପରି ଗ୍ରାମସଭା ଦ୍ୱାରା ଅନୁମୋଦିତ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ ହ୍ରାସ କରାଯାଉଛି । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ପଙ୍ଗୁ କରିବା ପାଇଁ ବିଜେପି ବାରମ୍ବାର ଅପଚେଷ୍ଟା କରୁଛି । ନରେଗା ଯୋଜନାରେ ନିୟୋଜିତ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳୁ ନାହିଁ । ଗ୍ରାମାଞ୍ଚଳରେ ଲୋକଙ୍କ ମନରେ ଥିବା ଆକ୍ରୋଶ ଓ କ୍ଷୋଭକୁ ନେଇ ଆସନ୍ତାକାଲି ସକାଳ ୧୦ଟାରେ ବିଧାନସଭା ଘେରାଉ କରିବା ପାଇଁ ବିଜୁ ଜନତା ଦଳ ନିଷ୍ପତ୍ତି ନେଇଛି ।
ସେହିପରି ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ ତଥା ଅଧ୍ୟକ୍ଷଙ୍କୁ ସମ୍ବିଧାନ ପ୍ରଦତ୍ତ କ୍ଷମତା ଓ ଅଧିକାରକୁ ବିଜେପି ସରକାର ସଙ୍କୁଚିତ କରିବା ପାଇଁ ସରକାର ଅପଚେଷ୍ଟା କରୁଛନ୍ତି ନିର୍ବାଚିତ ପ୍ରତିନିଧିମାନଙ୍କୁ ରବର ଷ୍ଟାମ୍ପ ଭାବେ ବ୍ୟବହାର କରିବା ପାଇଁ ବିଜେପି ସରକାର ସରକାରୀ ଅଧିକାରୀଙ୍କ ହାତରେ ଅଧିକ କ୍ଷମତା ଦେବାକୁ ପଛାଉନାହାନ୍ତି । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତର ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରମୁଖ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ସାମିଲ ହେବେ ।