ଭାଇ ହତ୍ୟା ମାମଲାରେ ୨ ଭାଇଙ୍କୁ ଆଜୀବନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୌରାଜଜ୍ ଏକ ହତ୍ୟା ମାମଲାର ବିଚାର କରି ଦୁଇ ଅଭିଯୁକ୍ତକୁ  ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବାଉଁଶୁଣୀ ଥାନାର ମଲିକପଡା ଗ୍ରାମରେ  ଗତ ୧.୩.୨୧ ତାରିଖରେ ବଡଭାଇ  ସ୍ତ୍ରୀ ସହିତ ସାନଭାଇର ସଂପର୍କକୁ ନେଇ ଦୁଇ ବଡଭାଇ ସାନଭାଇଙ୍କୁ ହତ୍ୟା କରିଥିବା ନେଇ ବାଉଁଶୁଣୀ ଥାନାରେ ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ । ମାମଲାରୁ ପ୍ରକାଶ, ମଲିକପଡା ଗ୍ରାମର ସାର୍ଥକ ଜାନୀ, ପ୍ରମୋଦ ଜାନୀ ଓ ସନ୍ତୋଷ ଜାନୀ ତିନିଭାଇ । ଉକ୍ତ ମାମଲା ପୂର୍ବରୁ ଏକ ହତ୍ୟା ମାମଲାରେ ପ୍ରମୋଦ ଜାନୀ ଜେଲରେ ଥିଲେ । ପ୍ରମୋଦକୁ ସାନଭାଇ ସନ୍ତୋଷ ଜାମିନରେ ଆଣିଥିଲା । ପ୍ରମୋଦର ଜାମିନରେ ଆସିବା ପରେ ସ୍ତ୍ରୀ ସହିତ ସାନଭାଇ ସନ୍ତୋଷର ଖରାପ ସଂପର୍କ ଥିବା ନେଇ ସନେ୍ଦହ କରି ବଡଭାଇ ସାର୍ଥକ ସହିତ ମିଶି ସାନଭାଇ ସନ୍ତୋଷକୁ ହତ୍ୟା କରିଥିଲେ । ଏନେଇ ଗତ ୧.୩.୨୧ରେ ମୃତ ସନ୍ତୋଷର ସ୍ତ୍ରୀ ସଙ୍ଗିତା ଜାନି ଓରଫ କହଁର ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବାଉଁଶୁଣୀ ପୁଲିସ ଥାନା କେସ ନଂ ୨୬/୨୧ରେ   ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଦୁୁଇ ଭାଇ ସାର୍ଥକ ଓ ପ୍ରମୋଦକୁ  ଗିରଫ କରି କୋର୍ଟଚାଲାଣ କରିଥିଲା । ପରିବର୍ତ୍ତୀ ସମୟରେ ମାମଲାଟି ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଏସ୍ଟି କେସନଂ ୩୬/୨୧ ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୨୫ଜଣ ସାକ୍ଷୀଙ୍କ ବୟାନଙ୍କୁ ଭିତ୍ତିକରି ଅଦାଲତ ପ୍ରମାଣ ଥିବା ନେଇ ଅଭିଯୁକ୍ତ ଦୁଇ ଭାଇ ସାର୍ଥକ ଜାନୀ ଓ ପ୍ରମୋଦ ଜାନୀଙ୍କୁ  ଆଜୀବନ କାରାଦଣ୍ଡ ଦେବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପିପି ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।