ଡ୍ୟାମ୍ ସୁରକ୍ଷା ନେଇ ବିଶ୍ୱବ୍ୟାଙ୍କ୍ ଟିମର ସମୀକ୍ଷା

 ଭୁବନେଶ୍ୱର : ଓଡ଼ିଶାରେ ଡ୍ୟାମ୍ ନିରାପତ୍ତା ନିମିତ୍ତ ପଦକ୍ଷେପ ଓ ଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଉନ୍ନୟନ କମିଶନର ତଥା  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଭେଟି ଆଲୋଚନା କରିଛନ୍ତି ବିଶ୍ୱବ୍ୟାଙ୍କ ଟିମ୍ । ଡ. ରାଜଗୋପାଳ ସିଂହ (ଟାସ୍କ ଟିମ୍ ଲିଡର, ଡ୍ରିପ୍-୨), ଡ. ଅଜିତ ପଟ୍ଟନାୟକ (ସଂସ୍ଥାଗତ ବିଶେଷଜ୍ଞ) ଏବଂ ଶ୍ରୀ ବିଶାଖା ଝା (ଜଳସମ୍ପଦ ବିଶେଷଜ୍ଞ)ଙ୍କୁ ନେଇ ଗଠିତ ବିଶ୍ୱବ୍ୟାଙ୍କର ଏକ ଟିମ୍ ଶ୍ରୀମତି ଗର୍ଗଙ୍କ ସହ ବୈଠକ କରିଥିବା ବେଳେ ଏଥିରେ ଡ୍ୟାମ ପୁନର୍ବାସ ଓ ଉନ୍ନତି ପ୍ରକଳ୍ପ (ଡ୍ରିପ୍) ଅଧୀନରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ । ଡ୍ରିପ୍ -୧ ଅଧୀନରେ ୨୬ଟି ଡ୍ୟାମ ସଫଳତାର ସହ ପୁନର୍ବାସ ହୋଇଥିବା ବେଳେ ଡ୍ରିପ୍ -୨ ଅଧୀନରେ ୧୩ଟି ଡ୍ୟାମ୍ ପାଇଁ ପୁନର୍ବାସ କାର୍ଯ୍ୟ ଜାରି ରହିଛି ।  ଉଭୟ ଡ୍ରିପ୍ -୧ ଏବଂ ଡ୍ରିପ୍ -୨ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାରଙ୍କ ପ୍ରଶଂସନୀୟ ପ୍ରଦର୍ଶନକୁ ବିଶ୍ୱବ୍ୟାଙ୍କ ଅଧିକାରୀମାନେ ପ୍ରଶଂସା କରିବା ସହ ଡ୍ରିପ୍ -୩ର ପ୍ରଭାବଶାଳୀ କାର୍ଯ୍ୟକାରିତା ନେଇ ଆଶା ପ୍ରକାଶ କରିଛନ୍ତି  । ଆଗାମୀ  ଡ୍ରିପ୍-୩ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମରେ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ଓ ଏହାର ଗେଟ୍ ଅଟୋମେସନ୍ ଭଳି ପ୍ରମୁଖ ଉପାଦାନ ରହିଛି । ଡ୍ୟାମଗୁଡ଼ିକର କଂକ୍ରିଟ୍ ଖରାପ, ଭିତ୍ତିଭୂମି ସମସ୍ୟା ଏବଂ ସିପେଜ୍ ଭଳି ସମସ୍ୟାର ସମାଧାନ, ସାମ୍ପ୍ରତିକ ନିରାପତ୍ତା ମାନଦଣ୍ଡ ପୂରଣ ପାଇଁ ଢାଞ୍ଚାଗତ ମରାମତି, ଉନ୍ନତ ତଦାରଖ ବ୍ୟବସ୍ଥା ଏବଂ ଉନ୍ନତିକରଣକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର  ୨୫ଟି ଡ୍ୟାମ ପାଇଁ ଜରୁରୀକାଳୀନ ଆକ୍ସନ ପ୍ଲାନ୍ (ଇଏପି) ପ୍ରସ୍ତୁତ କରିବାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ମଧ୍ୟ ଏହି ଟିମ୍ ପ୍ରଶଂସା କରିଛି ।