ଆଜିଠୁ ନିତିଦିନିଆ ସାମଗ୍ରୀ ଶସ୍ତା

- ମହଙ୍ଗା ଜିଏସଟିରୁ ମୁକ୍ତି
- ଆଜିଠୁ ଜିଏସଟି ସଞ୍ଚୟ ଉତ୍ସବ : ମୋଦି
- ଉପକୃତ ହେବେ ଗରିବ ଓ ମଧ୍ୟବିତ୍ତ
- ସ୍ୱଦେଶୀ ଉପରେ ପୁଣି ମୋଦିଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ : ମହଙ୍ଗା ଜିଏସଟିରୁ ଦେଶବାସୀଙ୍କୁ ମିଳିବ ମୁକ୍ତି । ଆସନ୍ତାକାଲିଠୁ ଦେଶରେ ଲାଗୁ ହେଉଛି ଜିଏସଟି ସଂସ୍କାର। ଏହା ଦେଶର ବିକାଶକୁ ତ୍ୱରାନ୍ୱିତ କରିବ । ସବୁ ବର୍ଗର ଲୋକେ ଏହାଦ୍ୱାରା ଉପକୃତ ହେବେ । ବିଶେଷ ଲାଭ ପାଇବେ ଗରିବ ଓ ମଧ୍ୟବିତ୍ତ ବର୍ଗ । ପୂର୍ବରୁ ଭିନ୍ନ ଟ୍ୟାକ୍ସ ଦେଇ ଲୋକେ ହନ୍ତସନ୍ତ ହେଉଥିଲେ । ଲୋକେ ଅନେକ ପ୍ରତିବନ୍ଧକର ସମ୍ମୁଖିନ ହେଉଥିଲେ । ବର୍ତ୍ତମାନ ୯୯ ପ୍ରତିଶତ ସାମଗ୍ରୀ ୫% ଟିକସ ପରିସରରେ ରହିବ । ଯାହା ଦ୍ୱାର ଘର ତିଆରି, ଗାଡି କିଣା ଓ ବୁଲାବୁଲି ଖର୍ଚ୍ଚ କମିବ । ଲଘୁ ଓ କୁଟିର ଉଦ୍ୟୋଗକୁ ଡବଲ ଫାଇଦା ମିଳିବ। ଇଲେକଟ୍ରୋନିକ୍ସ ସାମଗ୍ରୀ ଠୁ ଆରମ୍ଭ କରି ଅଟୋମୋବାଇଲସ ସାମଗ୍ରୀ ଶସ୍ତା ହେବ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଶସ୍ତା ହେବ । ଏନେଇ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବରାତ୍ରୀର ପ୍ରଥମ ଦିନରୁ ଦେଶ ଆତ୍ମନିର୍ଭର ଭାରତ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି । ଆସନ୍ତାକାଲି ସୂର୍ଯ୍ୟୋଦୟ ଠାରୁ ଦେଶ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବ । ଏହାସହିତ ସମଗ୍ର ଭାରତରେ ‘ଜିଏସଟି ବଚତ’ ଉତ୍ସବ (ସଞ୍ଚୟ ମହୋତ୍ସବ)ର ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ପର୍ବ ସଞ୍ଚୟକୁ ବୃଦ୍ଧି କରିବ ଓ ଲୋକଙ୍କ ପାଇଁ ସେମାନଙ୍କର ପସନ୍ଦର ଜିନିଷ କିଣିବାକୁ ସହଜ କରିବ । ଏହି ସଞ୍ଚୟ ମହୋତ୍ସବର ଲାଭ ଗରିବ, ମଧ୍ୟବିତ୍ତ, ନବମଧ୍ୟବିତ୍ତ ବର୍ଗ, ଯୁବକ, କୃଷକ, ମହିଳା, ଦୋକାନୀ, ବ୍ୟବସାୟୀ ଓ ଦ୍ଭ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚିବ । ସେ ଆହୁରି କହିଛନ୍ତି, ଏହି ପାର୍ବଣ ଋତୁରେ ପ୍ରତ୍ୟେକ ପରିବାରର ସୁଖ ଓ ମଧୁରତା ବୃଦ୍ଧି ପାଇବ । ଏହି ସଂସ୍କାରଗୁଡ଼ିକ ଭାରତର ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବ, ବ୍ୟବସାୟିକ କାର୍ଯ୍ୟକୁ ସରଳ କରିବ, ନିବେଶକୁ ଅଧିକ ଆକର୍ଷଣୀୟ କରିବ ଓ ବିକାଶ ଦୌଡ଼ରେ ପ୍ରତ୍ୟେକ ରାଜ୍ୟ ସମାନ ଅଂଶୀଦାର ହେବେ ।
୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଜିଏସଟି ନେଇ ସଂକଳ୍ପ ନେଇଥିଲେ । ଯାହା ୨୦୧୭ରେ ଲାଗୁ ହେବା ସହିତ ଏକ ପୁରୁଣା ଅଧ୍ୟାୟର ଶେଷ ହୋଇଥିଲା । ଦେଶର ଆର୍ଥିକ ଇତିହାସରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଥିଲା । ଆଜି ସବୁ ରାଜ୍ୟକୁ ଏକାଠି କରିବା ଦ୍ୱାରା ସ୍ୱାଧୀନ ଭାରତରେ ଏପରି ଏକ ମହାନ ଟିକସ ସଂସ୍କାର ସମ୍ଭବ ହୋଇପାରିଛି । କେନ୍ଦ୍ର ଓ ରାଜ୍ୟଗୁଡ଼ିକର ମିଳିତ ପ୍ରୟାସର ଫଳସ୍ୱରୂପ ଦେଶ ବହୁବିଧ ଟିକସର ଚକ୍ରବ୍ୟୂହରୁ ମୁକ୍ତ ହୋଇଛି । ସଂସ୍କାର ଏକ ନିରନ୍ତର ପ୍ରକ୍ରିୟା । ସମୟ ବଦଳିବା ଏବଂ ଜାତୀୟ ଆବଶ୍ୟକତା ପରିବର୍ତ୍ତିତ ହେବା ସହିତ ପରବର୍ତ୍ତୀ ପିଢ଼ିର ସଂସ୍କାର ସମାନ ଭାବରେ ଅତ୍ୟାବଶ୍ୟକ ହୋଇପଡୁଛି । ଦେଶର ବର୍ତ୍ତମାନର ଆବଶ୍ୟକତା ଏବଂ ଭବିଷ୍ୟତର ଆକାଂକ୍ଷାକୁ ଦୃଷ୍ଟିରେ ରଖି ଏହି ନୂତନ ଜିଏସଟି ସଂସ୍କାର କାର୍ଯ୍ୟକାରୀ କରାଯାଉଛି । ନୂତନ ଢାଞ୍ଚା ଅଧୀନରେ, କେବଳ ୫% ଏବଂ ୧୮% ଟିକସ ସ୍ଲାବ୍ ମୁଖ୍ୟତଃ ରହିବ । ଏହାର ଅର୍ଥ ହେଉଛି ଅଧିକାଂଶ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅଧିକ ସୁଲଭ ହେବ । ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ, ଟୁଥବ୍ରସ୍, ଟୁଥପେଷ୍ଟ, ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଭଳି ଅନେକ ସାମଗ୍ରୀ ଏବଂ ସେବା ଟିକସମୁକ୍ତ ହେବ କିମ୍ବା କେବଳ ୫% ଟିକସ ଲାଗୁ ହେବ । ପୂର୍ବରୁ ୧୨% ଟିକସ ଲାଗୁଥିବା ସାମଗ୍ରୀ ମଧ୍ୟରୁ ୯୯% ସାମଗ୍ରୀ ଅର୍ଥାତ ପ୍ରାୟ ସମସ୍ତକୁ ଏବେ ୫% ଟିକସ ପରିଧି ମଧ୍ୟକୁ ଅଣାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଗତ ଏଗାର ବର୍ଷ ମଧ୍ୟରେ ୨୫ କୋଟି ଭାରତୀୟ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ଏମାନେ ଦେଶର ପ୍ରଗତିରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ନବମଧ୍ୟବିତ୍ତ ବର୍ଗ ଭାବରେ ଉଭା ହୋଇଛନ୍ତି । ଏହି ନବ ମଧ୍ୟବିତ୍ତ ବର୍ଗର ନିଜସ୍ୱ ଆକାଂକ୍ଷା ଏବଂ ସ୍ୱପ୍ନ ଅଛି । ଚଳିତ ବର୍ଷ, ସରକାର ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ କରମୁକ୍ତ କରି ଟିକସ ରିହାତି ଉପହାର ଦେଇଛନ୍ତି, ଯାହା ମଧ୍ୟବିତ୍ତ ବର୍ଗଙ୍କ ଜୀବନକୁ ଯଥେଷ୍ଟ ସହଜ ଏବଂ ସୁବିଧାଜନକ କରିଛି । ମୋଦି କହିଛନ୍ତି, ଏବେ ଗରିବ ଏବଂ ନବ ମଧ୍ୟବିତ୍ତ ବର୍ଗଙ୍କ ଲାଭ ପାଇବାର ପାଳି । ସେମାନେ ଦ୍ୱିଗୁଣିତ ଲାଭ ପାଉଛନ୍ତି - ପ୍ରଥମେ ଆୟକର ରିହାତି ମାଧ୍ୟମରେ ଏବଂ ଏବେ ଜିଏସଟି ହ୍ରାସ ମାଧ୍ୟମରେ । ଘର ନିର୍ମାଣ ହେଉ, ଟିଭି କିମ୍ବା ରେଫ୍ରିଜରେଟର କିଣା ହେଉ, କିମ୍ବା ସ୍କୁଟର, ବାଇକ୍ କିମ୍ବା କାର କିଣା ହେଉ, ସବୁକିଛି ଏବେ କମ ଖର୍ଚ୍ଚରେ ହେବ । ଅଧିକାଂଶ ହୋଟେଲ ରୁମ ପାଇଁ ଜିଏସଟି ହ୍ରାସ କରାଯାଇଥିବାରୁ ଭ୍ରମଣ ମଧ୍ୟ ଅଧିକ ସୁଲଭ ହେବ । ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାରରେ ‘ନାଗରିକ ଦେବୋଭବ’ ମନ୍ତ୍ର ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ, ଆୟକର ରିହାତି ଏବଂ ଜିଏସଟି ହ୍ରାସକୁ ମିଶାଇ ଦେଖିଲେ, ଗତ ଗୋଟିଏ ବର୍ଷ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଭାରତର ଜନସାଧାରଣଙ୍କ ପାଇଁ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସଞ୍ଚୟ କରିବ । ଏହି କାରଣରୁ ସେ ଏହାକୁ ‘ବଚତ ଉତ୍ସବ’ (ସଞ୍ଚୟ ଉତ୍ସବ) ବୋଲି ଅଭିହିତ କରିଥିବା କହିଥିଲେ ।
ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଆତ୍ମନିର୍ଭରଶୀଳତାର ପଥ ପ୍ରତି ଅତୁଟ ପ୍ରତିବଦ୍ଧତା ଆବଶ୍ୟକ ବୋଲି ମୋଦି କହିଥିଲେ । ଯେଉଁ ଜିନିଷ ସବୁ ଲୋକଙ୍କ ଆବଶ୍ୟକତା ପୂରଣ କରିବ ଏବଂ ଦେଶ ମଧ୍ୟରେ ଉତ୍ପାଦିତ ହୋଇପାରିବ ତାହା ଘରୋଇ ଭାବରେ ଉତ୍ପାଦନ କରାଯିବା ଉଚିତ ବୋଲି ସେ ଦୃଢତାର ସହିତ କହିଥିଲେ । ଜିଏସଟି ହାର କମିବା ଏବଂ ସରଳୀକୃତ ପ୍ରକ୍ରିୟା ଭାରତର ଏମଏସଏମଇ, କ୍ଷୁଦ୍ର ଶିଳ୍ପ ଓ କୁଟୀର ଉଦ୍ୟୋଗଗୁଡ଼ିକୁ ଯଥେଷ୍ଟ ଲାଭ ଦେବ ।
ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱଦେଶୀର ମନ୍ତ୍ର ଯେପରି ଭାରତର ସ୍ୱାଧୀନତା ସଂଗ୍ରାମକୁ ସଶକ୍ତ କରିଥିଲା, ଠିକ୍ ସେହିପରି ଏହା ସମୃଦ୍ଧି ଆଡକୁ ଦେଶର ଯାତ୍ରାକୁ ଶକ୍ତିଶାଳୀ କରିବ । ଦେଶର ଯୁବପିଢ଼ିଙ୍କ କଠିନ ପରିଶ୍ରମ ଦ୍ୱାରା ଏବଂ ଭାରତରେ ନିର୍ମିତ ଉତ୍ପାଦ କିଣିବାକୁ ସେ ଲୋକମାନଙ୍କୁ ଆହ୍ୱାନ କରିଥିଲେ । ପ୍ରତ୍ୟେକ ପରିବାରକୁ ସ୍ୱଦେଶୀର ପ୍ରତୀକ ହେବାକୁ ଏବଂ ପ୍ରତ୍ୟେକ ଦୋକାନକୁ ସ୍ୱଦେଶୀ ସାମଗ୍ରୀରେ ସଜ୍ଜିତ କରିବାକୁ ସେ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ସ୍ୱଦେଶୀ ପ୍ରତି ସେମାନଙ୍କର ପ୍ରତିବଦ୍ଧତା – ‘ମୁଁ ସ୍ୱଦେଶୀ କିଣେ,’ ‘ମୁଁ ସ୍ୱଦେଶୀ ବିକ୍ରୟ କରେ’- ବାର୍ତ୍ତାକୁ ଗର୍ବର ସହିତ ଘୋଷଣା କରିବାକୁ ଉତ୍ସାହିତ କରିଥିଲେ ।