‘ଆବର୍ଜନାରୁ ଉତ୍ପାଦନ ହେବ କୋଇଲା’ ଗଣସଫେଇରେ ସାମିଲ୍ ହେଲେ ମୋହନ

ଭୁବନେଶ୍ୱର: ସ୍ୱଚ୍ଛତା ହି ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି  ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମେୟର ଏବଂ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀ ସଫେଇ କାର୍ଯ୍ୟ କରିଥିଲେ  । ମୁଖ୍ୟମନ୍ତ୍ରୀ ‘ଏକ୍ ପେଡ୍ ମା କେ ନାମ୍ ୨.୦’ କାର୍ଯ୍ୟକ୍ରମ ଅଧିନରେ ସ୍ଥାନୀୟ ଦେବୀ ପାଦହରା ପୁଷ୍କରିଣୀ ନିକଟରେ ବୃକ୍ଷରୋପଣ କରିଥିଲେ ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେଯେ, ଭାରତୀୟ ସାଂସ୍କୃତିକ ବିଚାରଧାରା ସହିତ ସ୍ୱତନ୍ତ୍ର ଅର୍ଥନୈତିକ ଚିନ୍ତାଧାରାର ପ୍ରସାର କ୍ଷେତ୍ରରେ ଯଦି କାହାର ସର୍ବାଧିକ ଅବଦାନ ଥାଏ ସେ ହେଉଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ  । ସେ ଏକାତ୍ମ ମାନବବାଦରେ  ବିଶ୍ୱାସ କରୁଥିଲେ  । ତାଙ୍କର ଚିନ୍ତାଧାରା ଥିଲା ଅନ୍ତ୍ୟୋଦୟ ଅର୍ଥାତ୍ ସମାଜର ସବୁଠୁ ଶେଷ ସୀମାରେ ଥିବା ମଣିଷ ପର୍ଯ୍ୟନ୍ତ ଉନ୍ନତିର ଆଲୋକ ପହଞ୍ଚିବା ଆବଶ୍ୟକ  । ଦୀନଦୟାଲଙ୍କ ଆଦର୍ଶକୁ ପାଥେୟ କରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଦେଶରେ ସୁଶାସନ ପ୍ରତିଷ୍ଠା କରିଥିଲେ । ସାଂପ୍ରତିକ ପରିସ୍ଥିତିରେ ପଣ୍ଡିତ ଦୀନଦୟାଲଙ୍କ ସବୁଠାରୁ ବଡ ଉପାସକ ହେଉଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।  ପଣ୍ଡିତ ଦୀନଦୟାଲଙ୍କ ଏହି ମହାନ ଚିନ୍ତାଧାରା ଅନ୍ତ୍ୟୋଦୟ ଆଧାରରେ ଆମେ ସମାଜର ଶେଷ ଧାଡିରେ ଥିବା ଲୋକ ପାଖରେ ସମସ୍ତ ମୌଳିକ ସୁବିଧା ପହଞ୍ଚାଇବା ପାଇଁ କାର୍ଯ୍ୟରତ ଅଛୁ  ।
ସେ ପୁଣି କହିଥିଲେ ଆଜି ‘ଏକ ଦିନ, ଏକ ଘଣ୍ଟା, ଏକା ସାଥିରେ’ ଆମେ ଏଠାରେ ଏକତ୍ରିତ ହୋଇଛୁ  । ସ୍ୱଚ୍ଛତା କ୍ଷେତ୍ରରେ ସମସ୍ତଙ୍କୁ ଅଧିକ ସଚେତନ କରାଇବାର ଆବଶ୍ୟକତା ରହିଛି  । ସଫେଇ କ୍ଷେତ୍ରରେ ଦେଶର ପ୍ରଥମ ତିନୋଟି ସ୍ଥାନରେ ରହିବା ପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡିବ । ସେ ପୁଣି କହିଥିଲେ ଆଗାମୀ ଦିନରେ ଆବର୍ଜନାରୁ କୋଇଲା ଏବଂ କୋଇଲାରୁ ଶକ୍ତି ଉତ୍ପାଦନ କରିବା ପାଇଁ ଆମର ଯୋଜନା ରହିଛି  ।
କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ବିଏମସି ମେୟର ସୁଲୋଚନା ଦାସ, କର୍ପୋରେଟରବୃନ୍ଦ, ସମାଜସେବୀ ଜଗନ୍ନାଥ ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ