ବିହାର ନିର୍ବାଚନ ଦାୟିତ୍ୱରେ ଧର୍ମେନ୍ଦ୍ର

ଭୁବନେଶ୍ୱର: ବିହାର ଓ ତାମିଲନାଡୁରେ ବିଜେପିର ନିର୍ବାଚନ ପରିଚାଳନା କରିବେ ଦୁଇ ଓଡ଼ିଆ । ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୃତୀୟ ଥର ପାଇଁ ବିହାରର ନିର୍ବାଚନ ପ୍ରଭାରୀ ଭାବରେ ଦାୟିତ୍ୱ ଦେଇଛନ୍ତି । ସେପଟେ ଦିଲ୍ଲୀର ପ୍ରଭାରୀ ଭାବେ ପୂର୍ବରୁ ସଫଳ ହୋଇଥିବା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁର ନିର୍ବାଚନ ପ୍ରଭାରୀ କରାଯାଇଛି ।
ବିହାର ନିର୍ବାଚନ ଦେଶର ରାଜନୈତିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜର ସବୁଠୁ ବିଶ୍ୱସ୍ତ, ଦକ୍ଷ, ରାଜନୈତିକ ଅନୁଭବୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ୨୦୧୦ରେ ପ୍ରଥମ ଥର ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାରର ପ୍ରଭାରୀ ଭାବରେ ଦାୟିତ୍ୱ ଦେଇଥିଲେ ତକôାଳୀନ ରାଷ୍ଟ୍ରୀୟ ସଭାପତି ନୀତିନ ଗଡକରୀ । ପରବର୍ତ୍ତୀ ସମୟରେ ୨୦୧୫ରେ ମଧ୍ୟ ତାଙ୍କୁ ନିର୍ବାଚନ ପ୍ରଭାରୀ ଭାବରେ ଦାୟିତ୍ୱ ଦେଇଥିଲେ ତକôାଳୀନ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ।
୨୦୧୪ରେ ଧର୍ମେନ୍ଦ୍ର ପ୍ରଧାନ ବିହାରର ଜାତି ଭୋଟ ଗଣିତକୁ ଭଲରେ ବୁଝିପାରିଥିଲେ । ସେ ସମୟରେ ତାଙ୍କ ନେତୃତ୍ୱରେ ବିହାରର ରାଜନୈତିକ ଦୃଶ୍ୟପଟ୍ଟ ପରିବର୍ତ୍ତନ ହୋଇଥିଲା । ତାଙ୍କର ସଫଳ ନେତୃତ୍ୱ ପାଇଁ ଏନଡ଼ିଏର ୩୧ ଜଣ ପ୍ରାର୍ଥୀ ବିହାରରୁ ନିର୍ବାଚିତ ହୋଇପାରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ବିହାର ସହ ତାଙ୍କର ଲମ୍ବା ସମୟର ସମ୍ପର୍କ ଥିବାରୁ ଏବଂ ବିହାରକୁ ସେ ଭଲ ଭାବରେ ଜାଣିଥିବା କାରଣରୁ ତାଙ୍କୁ ନିର୍ବାଚନ ପ୍ରଭାରୀର ଦାୟିତ୍ୱ ମିଳିଛି ।
ତାଙ୍କର କାର୍ଯ୍ୟ ଦକ୍ଷତା, ରଣକୌଶଳ କାରଣରୁ ଦେଶରେ ଅଧିକାଂଶ ରାଜ୍ୟରେ ପ୍ରଭାରୀ, କିଛି ରାଜ୍ୟରେ ନିର୍ବାଚନ ପ୍ରଭାରୀ ସହିତ ବିଜେପି ଶାସିତ ସରକାରର ସଂକଟ ସମୟରେ ଗୁରୁ ଦାୟିତ୍ୱ ତୁଲାଇଥିବାର ବି ନଜିର ରହିଛି ।
ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ହେଉ କିମ୍ବା ପ୍ରତିଦିନ କେଉଁ ବିଷୟବସ୍ତୁକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ହେବ, ସଭାରେ କ’ଣ ରହିବ ଏ ସମସ୍ତ ଦାୟିତ୍ୱ ବହନ କରନ୍ତି ଧର୍ମେନ୍ଦ୍ର ପ୍ରଧାନ । କାର୍ଯ୍ୟକର୍ତ୍ତାଙ୍କ ମନୋବଳକୁ ବଢ଼ାଇବା ପାଇଁ ପ୍ରତିଦିନ ସମସ୍ତ ନିର୍ବାଚନ ମଣ୍ଡଳୀର ସ୍ଥିତି ଓ ଅବସ୍ଥିତି ନେଇ ସମୀକ୍ଷା କରନ୍ତି । ଯେତେବେଳେ କର୍ଣ୍ଣାଟକର ରାଜନୈତିକ ସଂକଟ ଉପୁଜିଥିଲା, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଇସ୍ତଫା ଦେଇଥିଲେ ଏବଂ ନୂଆ ମୁଖ୍ୟମନ୍ତ୍ରୀ ଚୟନ ଆରମ୍ଭ ହୋଇଥିଲା, ସେହି ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା । ୨୦୨୧ରେ ଉତ୍ତରପ୍ରଦେଶର ନିର୍ବାଚନୀ ପ୍ରଭାରୀ ଭାବରେ ମଧ୍ୟ ପାର୍ଟି ତାଙ୍କୁ ଦାୟିତ୍ୱ ଦେଇଥିଲା ଏବଂ ଉତ୍ତରପ୍ରଦେଶରେ ସରକାର ମଧ୍ୟ ବିଜେପି ଗଠନ କରିଥିଲା । ୨୦୨୧ରେ ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀର ପ୍ରଚାର ଏବଂ ରଣନୀତିର ଦାୟିତ୍ୱ ଦିଆଯାଇଥିଲା । ଯାହାକୁ ସୁଫଳ ଭାବେ ତୁଲାଇ ଅବିଶ୍ୱାସନୀୟ ଭାବେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
୨୦୨୪ ଅକ୍ଟୋବରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରିୟାଣାର ନିର୍ବାଚନ ପ୍ରଭାରୀର ଦାୟିତ୍ୱ ମିଳିଥିଲା । ଦେଶର ରାଜନୈତିକ ଦୃଷ୍ଟିକୋଣରୁ ଚଳିତବର୍ଷ ହରିୟାଣା ବିଧାନସଭା ନିର୍ବାଚନ ବିଜେପି ପାଇଁ ଚ୍ୟାଲେଞ୍ଜ ପୂର୍ଣ୍ଣ ଥିଲା । ଶ୍ରୀ ପ୍ରଧାନଙ୍କ ଦୃଢ ଓ ପ୍ରଭାବଶାଳୀ ନେତୃତ୍ୱ କାରଣରୁ ହରିୟାଣା ପରି ରାଜ୍ୟରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିଥିଲା ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ତ୍ରିପୁରା, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ପ୍ରଭାରୀ ଓ ନିର୍ବାଚନପ୍ରଭାରୀ ଦାୟିତ୍ୱ ସୁଚାରୁରୂପେ ରୂପେ ସମ୍ପାଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସର୍ବଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଅଗାଢ ବିଶ୍ୱାସ ଓ ଆସ୍ଥାପ୍ରକଟ କରିଛନ୍ତି । ଫଳରେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ରହିପାରିଛନ୍ତି । ଅପରପକ୍ଷରେ ବୈଜୟନ୍ତ ପଣ୍ଡା ଗତ ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଥିବାବେଳେ ଦଳକୁ ବହୁବର୍ଷ ପରେ ବିଜୟ ଦେଇପାରିଥିଲେ । ଏବେ ତାଙ୍କୁ ତାମିଲନାଡ଼ୁ ନିର୍ବାଚନ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି ।