ବର୍ଷାପାଣି ନିଷ୍କାସନ ପାଇଁ ପ୍ରଶାସନିକ ଅଧିକାରୀ ଓ ବିଧାୟକଙ୍କ ପରିଦର୍ଶନ 

ସାଲେପୁର:  ସାଲେପୁରରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ ସାଲେପୁର ସହର ବର୍ଷାପାଣିରେ ଉବୁଟୁବୁ ହୋଇପଡୁଛି । ଏପରିକି ଦୋକାନ ଘରେ ମଧ୍ୟ ଆଣ୍ଠୁଏ ଲେଖାଁ ପାଣି ପଶୁଛି । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାଲେପୁରରେ ବର୍ଷାଦିନେ ବର୍ଷାପାଣି ନିଷ୍କାସିତ ହୋଇପାରେନାହିଁ । ଏହି ସମସ୍ୟା ସାଲେପୁର ସହରବାସୀଙ୍କ ମୁଖ୍ୟ ସମସ୍ୟା ହୋଇଥିବାବେଳେ ଏହା ଉପରେ ସ୍ଥାୟୀ ପ୍ରତିକାର ଗ୍ରହଣ କରାଯାଇନାହିଁ । ଅପର ପକ୍ଷରେ ବର୍ଷାଦିନ ଆସିଲେ ବର୍ଷାଦିନ ପୂର୍ବରୁ ବର୍ଷାପାଣି ନିଷ୍କାସନ କଥା ସାଲେପୁର ବିଧାୟକଙ୍କର ମନେପଡେ । ପ୍ରତିବର୍ଷ ବର୍ଷାଦିନ ପୂର୍ବରୁ ସାଲେପୁର ବଜାର ସମେତ ଖେଳପଡ଼ିଆ ଓ ମଧୁସୂଦନ ମଣ୍ଡପ ସମ୍ମୁଖରୁ କିପରି ବର୍ଷା ପାଣି ନିଷ୍କାସନ ହେବ, ସେଥିପାଇଁ ଜୋରସୋରରେ ପ୍ରସ୍ତୁତି କରାଯାଏ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ସ୍ଥାନୀୟ ଜନସାଧାରଣଙ୍କୁ ଡାକି ଆକ୍ସନ୍ ପ୍ଲାନ୍ ମଧ୍ୟ ତିଆରି କରାଯାଏ । କିନ୍ତୁ ଏହି ପ୍ଲାନ୍ ପ୍ଲାନ୍ରେ ହିଁ ରହିଯାଏ । ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରାଯାଏ । ଏହି ଘଟଣା ପ୍ରତିବର୍ଷ ଚାଲୁରହିଥିବାବେଳେ ବର୍ଷାପାଣି ନିଷ୍କାସନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ପ୍ରତିବର୍ଷ ଭଳି ଆଜି ମଧ୍ୟ ବିଧାୟକ ପ୍ରଶାନ୍ତ ବେହେରା ସାଲେପୁର ଅଞ୍ଚଳର କିଛି ଲୋକ, ତହସିଲଦାର, ପୂର୍ତ୍ତ ବିଭାଗ ଏସ.ଡି.ଓ., ସ୍ଥାନୀୟ ସରପଞ୍ଚଙ୍କ ସହ ସାଲେପୁର ସହରରୁ କିପରି ବର୍ଷାପାଣି ନିଷ୍କାସିତ ହେବ ସେଥିପାଇଁ ଆଜି ପରିଦର୍ଶନ କରିଛନ୍ତି । ସାଲେପୁର ଖେଳପଡ଼ିଆ ପାଶ୍ୱର୍ ତଥା ସାହେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା ଡ୍ରେନ୍କୁ ସଫା କରାଯାଇ ଡ୍ରେନେଜ୍ ନିର୍ମାଣ କରାଯିବା ସହ ହାଟ ପାଖରେ ଥିବା ଡ୍ରେନ୍ ସହ ସଂଯୋଗୀକରଣ କରାଯିବାପାଇଁ ସ୍ଥିର କରାଯାଇଛି । ଫଳରେ ଏହି ଡ୍ରେନ୍ ନିର୍ମାଣ ହେଲେ ସାଲେପୁର ସହର ସମେତ ଖେଳପଡ଼ିଆରୁ ବର୍ଷା ପାଣି ନିଷ୍କାସିତ ହୋଇପାରିବ । ତେଣୁ ଏହାନେଇ ବିଧାୟକ ଶ୍ରୀ ବେହେରା ଜାଗା ଚିହ୍ନଟ କରିବା ସହ ତୁରନ୍ତ ଡ୍ରେନେଜ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିବା ଜଣାଯାଇଛି । ଦେଖାଯାଉ ଏହି ଡ୍ରେନ୍ ବର୍ଷାଦିନ ପୂର୍ବରୁ ନିର୍ମାଣ ହେଉଛି କି ବର୍ଷାଦିନ ପରେ ନିର୍ମାଣ କରାଯାଉଛି, ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି ।