ଆରାବଳୀ ମାମଲାରେ ନିଜ ରାୟ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ଆରାବଳୀ ମାମଲାରେ ନିଜ ରାୟ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆରାବଳୀ ମାମଲାରେ ନିଜ ରାୟ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ । ନଭେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିଜ ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଏହାସହ କୋର୍ଟ କେନ୍ଦ୍ର ସରକାରଙ୍କ ସମେତ, ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜୁରାଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଜାନୁଆରୀ ୨୧ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ।

    ସୂଚନା ଅନୂସାରେ, ଆଜି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ବିଚାରପତି ଜେକେ ମାହେଶ୍ୱରୀ ଏବଂ ବିଚାରପତି ଏଜି ମାସିହ ସାମିଲ ଥିଲେ । ପ୍ରଧାନ ବିଚାରପତି କହିଛନ୍ତି ଯେ, ପୂର୍ବରୁ ଆରାବଳୀ ମାମଲାକୁ ନେଇ ଗଠିତ ଏକ କମିଟି ରିପୋର୍ଟ ପ୍ରଦାନ କରିଥିଲେ। ଯାହାର ଆଧାରରେ ରାୟ ପ୍ରଦାନ କରାଯାଇଥିଲା । ଏହି ରାୟକୁ ଏବେ ସ୍ଥଗିତ ରଖାଯାଉଛି । ଏହାସହ ନୂଆ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି, ପୂର୍ବ କମିଟିର ରିପୋର୍ଟ ଏବଂ କୋର୍ଟଙ୍କ ରାୟକୁ ସଠିକ ଭାବେ କେହି ବୁଝିପାରି ନାହାଁନ୍ତି । କିଛି ସ୍ପଷ୍ଟୀକରଣର ଆବଶ୍ୟକତା ରହିଛି । ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱଚ୍ଛ ଏବଂ ସ୍ୱତନ୍ତ୍ର ଭାବେ ଭାବେ ଗଠିତ କମିଟିର ମତ ଜରୁରୀ । ଏହାଦ୍ୱାରା ସଠିକ ସଜ୍ଞା ନିରୂପଣ କରାଯାଇପାରିବ । କେଉଁ କେଉଁ ସ୍ଥାନକୁ ଆରାବଳୀ ସୀମା ମଧ୍ୟରେ ରଖାଯିବ କାହାକୁ ରଖାଯିବ ନାହିଁ ତାହାକୁ ଉଚିତ ଭାବେ ଚିହ୍ନଟ କରିବା ଜରୁରୀ ଅଟେ।