ଆର୍ଟ ଅଫ୍ ଗିଭିଙ୍ଗ୍ କାର୍ଯ୍ୟକ୍ରମ
ଫୁଲବାଣୀ : ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆର୍ଟ ଅଫ୍ ଗିଭିଙ୍ଗ ଯୋଜନାର ଦ୍ୱାଦଶ ବାର୍ଷିକୀ ପାଳିତ ହୋଇଯାଇଛି । ଶିକ୍ଷାବିତ ଅଚୁ୍ୟତ ସାମନ୍ତଙ୍କ ପ୍ରଚେଷ୍ଟାରେ ଚାଲିଥିବା ଏହି ପରିକଳ୍ପନାର ବାର୍ଷିକୀ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ପ୍ରତ୍ୟେକ ମଣିଷ ନିକଟରେ ଦାନର ଭାବନା ଜାଗ୍ରତ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଦାନର ପରମ୍ପରା ଭାରତ ବର୍ଷରେ ଅତି ପୁରୁଣା ବୋଲି କହିବା ସହ ଏଭଳି ଏକ ପ୍ରୟାସ ସମାଜରେ ସମ୍ବେଦନଶୀଳତା ବୃଦ୍ଧି କରିବାରେ ସହାୟକ ହୋଇଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ସର୍ବେଶ୍ୱର ମିଶ୍ର ଏବଂ ଏଏନ୍ଏମ ଟ୍ରେନିଂ ସେଣ୍ଟରର ବରିଷ୍ଠ ଟୁ୍ୟଟର ମମତା ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖି ଏହି ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲା ସଂଯୋଜକ ଭାଗିରଥୀ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଶିବପ୍ରସାଦ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।