ଇଣ୍ଡିଆନ୍ ଆଇଡଲ୍ ଶ୍ରେଷ୍ଠ ୧୪ରେ ଓଡ଼ିଆ ପୁଅ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଣ୍ଡିଆନ ଆଇଡଲ୍ରେ ଚମକୁଛନ୍ତି କଟକର ପୁଅ ଜ୍ୟୋତି ପ୍ରକାଶ ଓଝା । ଜଣେ ଗୋ ସେବକ ଭାବରେ ସାରା ଭାରତରେ ପ୍ରଶଂସା ସାଉଁଟିଛନ୍ତି ଜ୍ୟୋତି  । ଗୋ ସେବା ପାଇଁ ଏହି ସଫଳତା ହାସଲ କଥା କହିଛନ୍ତି ଜ୍ୟୋତି । ସେହିଭଳି ପୁଅର ଏହି ସଫଳତା ପାଇଁ ପରିବାର ଲୋକେ ବେଶ୍ ଖୁସି ଅଛନ୍ତି । ତେବେ ଓଡ଼ିଆ ପୁଅ ଜ୍ୟୋତି ପ୍ରକାଶ ଓଝାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । 
ମୁଖ୍ୟମନ୍ତ୍ରୀ ୬୯ ତମ ରାଜ୍ୟ ପୁଲିସ୍ ଡୁ୍ୟଟି ମିଟ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗୋଭକ୍ତ ପ୍ରତିଭାବାନ ଯୁବ ଗାୟକ କଟକ ବାସିନ୍ଦା ଜ୍ୟୋତି ପ୍ରକାଶ ଓଝାଙ୍କୁ କଥା ଶୁଣି ସଭାରେ ଆନନ୍ଦ ପ୍ରକଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ବହୁ ସଂଘର୍ଷ ପରେ ଜ୍ୟୋତି ଲକ୍ଷ ଲକ୍ଷ ପ୍ରତିଯୋଗୀଙ୍କୁ ପଛରେ ପକାଇ ବର୍ତ୍ତମାନ ପ୍ଲାଟିନମ ମାଇକ ପାଇ ଟପ୍ ୧୪ରେ ଜାଗା ପାଇଛନ୍ତି । ସୂଚନା ଥାଉକି, ନିଜର ସୁମଧୁର ଓ ଦମଦାର ସ୍ୱରରେ ଖାଲି ଜଜ୍ ମାନଙ୍କୁ ନୁହେଁ ବରଂ ସାରା ଭାରତବର୍ଷର ଦର୍ଶକଙ୍କୁ ଆକୃଷ୍ଟ କରି ସାରିଛନ୍ତି । ସେ ସବୁବେଳେ କିମ୍ବଦନ୍ତୀ ଗାୟକଙ୍କୁ ନିଜର ଆଦର୍ଶ ମାନିବା ସହ ଗୋ ସେବା ପାଇଁ ଆଜି ଏହି ମେଗା ପ୍ରତିଯୋଗିତାରେ ନିଜର ସ୍ଥାନ ସୁରକ୍ଷିତ କରି ସାରିଛନ୍ତି । 
ପିଲାଟି ବେଳୁ ଗୋ ମାତାଙ୍କ ସେବା କରିବାରେ ବେଶ୍ ରୁଚି ରଖନ୍ତି । ପରିବାର ଲୋକଙ୍କ ସହ ମିଶି ସବୁବେଳେ ଗୋ ସେବା କରି ଥାଆନ୍ତି  । ଏମିତିକି କିଛି ମାସ ତଳେ ତାଙ୍କ ଘରେ ପାଳିତ ଗାଈ ନନ୍ଦିନୀର ମୃତୁ୍ୟ ପରେ ସେ ବେଶ୍ ମର୍ମାହତ ହୋଇଛନ୍ତି । ଏମିତିକି ଇଣ୍ଡିଆନ ଆଇଡଲ୍ରେ ନନ୍ଦିନୀର ଆଶୀର୍ବାଦ ନେବାକୁ ମଧ୍ୟ ଭୁଲି ନାହାନ୍ତି । 
ପ୍ରତ୍ୟେକ ଦିନ ଭିଡିଓ କଲ କରି ପୁଅ କଥା ବୁଝିବା ସହ ଆଗକୁ ଯିବା ପାଇଁ ମନୋବଳ ବୃଦ୍ଧି କରାଇଥାନ୍ତି । ପୁଅର ଏହି ସଫଳତାରେ ନାହିଁ ନଥିବା ଖୁସି ଅଛନ୍ତି ପରିବାର ଲୋକେ । ବର୍ତ୍ତମାନ ଏକମାତ୍ର ଓଡ଼ିଆ ଭାବେ ଜ୍ୟୋତି ପ୍ରକାଶ ଇଣ୍ଡିଆନ ଆଇଡଲ୍ରେ ଥିବା ବେଳେ ଆଗକୁ ଅଧିକ ଭଲ ପ୍ରଦର୍ଶନ କରି ଟାଇଟଲ ହାସଲ କରନ୍ତୁ ଏତିକି କାମନା କିରିଛନ୍ତି ଶୁଭେଚ୍ଛୁ ।