ଶ୍ରମିକ ବଦଳରେ ମେସିନ୍ କରୁଛି କାମ
ପାପଡାହାଣ୍ଡି: ମନରେଗା ଯୋଜନାରେ ଉଭୟ ଠିକାଦାର ଏବଂ ବିଭାଗୀୟ ଅଧିକାରୀମାନେ ମାଲାମାଲ ହେଉଥିବା ବେଳେ ଦିନମଜୁରିଆ କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଅନେକ ମୃତୁ୍ୟର ଶିକାର ହେଉଛନ୍ତି ତ କିଏ ନିଖୋଜ ହୋଇ ଯାଉଛନ୍ତି । ଏଭଳି ସମସ୍ୟା ଦେଖାଯାଉଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡାହାଣ୍ଡି ବ୍ଲକର ଅନେକ ପଞ୍ଚାୟତରେ ।
ଏହି ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତରେ ଉଭୟ ବ୍ଲକ ଏବଂ ଆଇଟିଡିଏର ଅନେକ ବନ୍ଧ, ଟ୍ରେଞ୍ଚ, ଚେକ୍ଡ୍ୟାମ, ମାଟଡ୍ରେନ ଇତ୍ୟାଦି କାମ ମନରେଗା ଯୋଜନାରେ ଚାଲିଛି । କିନ୍ତୁ ଏଠାରେ ଗୋଟିଏ କାମ ମଧ୍ୟ ଶ୍ରମିକଙ୍କ ଦ୍ୱାରା କରାଯାଉନାହିଁ । କେବଳ ମେସିନରେ କାମ ଚାଲିଥିଲା । ଏପରିକି କୌଣସି କାର୍ଯ୍ୟର ସୂଚନା ଫଳକ ମଧ୍ୟ ଲାଗୁନଥିବା ଦେଖିବାକୁ ମିଳିଥାଏ । ନିୟମ ମୁତାବାକ ମନରେଗା କାର୍ଯ୍ୟରେ ପ୍ରଥମେ ସୂଚନା ଫଳକ ଲାଗିବା କଥା ଏଠି କିନ୍ତୁ ତାର ବିପରୀତ କାର୍ଯ୍ୟ ଦେଖିବାକୁ ମିଳିଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଶ୍ରମିକମାନଙ୍କ ଜବକାର୍ଡରେ କାମ ଦର୍ଶାଇ ବିଲ୍ କରି ମାଲମାଲ୍ ହେଉଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମନରେଗା କାମକୁ ମେସିନ ନ ଲଗାଇ ଶ୍ରମିକମାନଙ୍କ ଦ୍ୱାରା କାର୍ଯ୍ୟ କରିବାକୁ ତାଗିତ କରି କହିଥିବାବେଳେ ପାପଡାହାଣ୍ଡି ବ୍ଲକରେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କଥାକୁ ନ ମାନି ବିଭାଗୀୟ ଅଧିକାରୀ ସବୁ ମିଶି ବିଲ୍ କରି ଖାଉଛନ୍ତି । ଏହି ପଞ୍ଚାୟତରେ ଯେଉଁ ମନରେଗା କାମ କରାଯାଉଛି, ଯେଉଁ ଶ୍ରମିକମାନଙ୍କ ନାମରେ ବିଲ କରାଯାଉଛି ଏହାର ଭିଜିଲାନ୍ସ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ସାଧାରଣରେ ଦାବି ହୋଇଛି । ପାପଡାହାଣ୍ଡି ବ୍ଲକକୁ ମନରେଗା କାମ ପାଇଁ ଜିଲ୍ଲାର ଅଧିକ ରୂପେ କାର୍ଯ୍ୟ ଦିବସ ରଖିଥିବାବେଳେ କିନ୍ତୁ ମେସିନ ଲଗାଇ ଲକ୍ଷାଧିକ ଟଙ୍କାର ଶ୍ରମିକ ନାମରେ ବିଲ ହୋଇଛି । ମୈଦଲପୁର ଅଞ୍ଚଳରେ ଖୁଲୁମଖୁଲା ଦିନବେଳା ମେସିନ ଲଗାଇ ଏହିସବୁ କାର୍ଯ୍ୟ ଚାଲିଥିବା ବେଳେ ପ୍ରଶାସନ ଜାଣି ମଧ୍ୟ ଚୁପ ରହୁଛନ୍ତି । ତେଣୁ ଏହି ପଞ୍ଚାୟତମାନଙ୍କରେ ଭିଜିଲାନ୍ସ ତଦନ୍ତ ଦାବି ସହ ଦୋଷୀମାନଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।