ଇଂଲଣ୍ଡ ୧୯୨ରେ ଅଲ୍ଆଉଟ୍

 ଲର୍ଡ୍ସ : ଲର୍ଡ୍ସ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ୧୯୨ରେ ଅଲ୍ଆଉଟ୍ ହୋଇଛନ୍ତି ଇଂଲିଶ ଦଳ । ୱାସିଂଟନ୍ ସୁନ୍ଦର ଓ ବୁମରାଙ୍କ ଘାତକ ବୋଲିଂ ଆଗରେ ଆଉ ଆଗକୁ ବଢ଼ିପାରିଲାନି ଇଂଲଣ୍ଡ । ଶେଷରେ ୧୯୨ରେ ଅଲ୍ଆଉଟ୍ ହୋଇ ଭାରତକୁ ୧୯୩ ରନ୍ର ଟାର୍ଗେଟ୍ ଦେଇଛି ଇଂଲଣ୍ଡ । ଗତକାଲି ଓ ଆଜି ଚାଲିଥିବା ଦ୍ୱିତୀୟ ଇନିଂସ୍ରେ ୱାସିଂଟନ୍ ସୁନ୍ଦରଙ୍କୁ ସର୍ବାଧିକ ୪ଟି ୱିକେଟ୍ ମିଳିଥିବା ବେଳେ ବୁମରା ଓ ମହମ୍ମଦ ସିରାଜଙ୍କୁ ଦୁଇଟି ଲେଖାଏଁ ଏବଂ ନିତିଶ ଓ ଆକାଶ ଦୀପଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।
ତୃତୀୟ ଦିନରେ ଭାରତ ପ୍ରଥମ ଇନିଂସରେ ୩୮୭ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ହେଲେ ଚତୁର୍ଥ ଦିନରେ ଦଳ ଆରମ୍ଭରୁ ହିଁ ୱିକେଟ୍ ପତନର ସମ୍ମୁଖୀନ ହୋଇଥିଲା । ବେନ ଡକେଟ୍(୧୨ ରନ) ଓ ଓଲି ପୋପ(୪)ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଭାରତକୁ ଡବଲ ସଫଳତା ଦେଇଥିଲେ ।  ନୀତିଶ ରେଡ୍ଡୀ ଜ୍ୟାକ କ୍ରାଉଲି(୨୨)ଙ୍କୁ ଜୟସ୍ୱାଲଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ଦ୍ରୁତ ବ୍ୟାଟିଂ କରୁଥିବା ହ୍ୟାରି ବ୍ରୁକ(୨୩ ରନ) କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ୮୭ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ପଡିଥିବା ଇଂଲଣ୍ଡ ଇନିଂସକୁ ସମ୍ଭାଳିଥିଲେ ଜୋ ରୁଟ୍ ଓ ବେନ ଷ୍ଟୋକ୍ସ । ଉଭୟ ସତର୍କତାର ସହ ବ୍ୟାଟିଂ କରି ପଞ୍ଚମ ୱିକେଟ୍ ପାଇଁ ୬୭ ରନ ଯୋଡିଥିଲେ । ୧୫୪ ରନ ସ୍କୋରରେ ଜୋ ରୁଟ୍ଙ୍କୁ ବୋଲ୍ଡ କରି ୱାଶିଂଟନ ସୁନ୍ଦର ଭାରତକୁ ବହୁତ ବଡ ସଫଳତା ଦେଇଥିଲେ । ନିମ୍ନକ୍ରମରେ ପୁଣି ବ୍ୟାଟିଂ  ବିପର୍ଯ୍ୟୟ ଭୋଗିତିଲା ଘରୋଇ ଦଳ । ବ୍ରାଇଡନ କାର୍ସ(୧) ଓ କ୍ରିସ ୱକ୍ସ(୧୦ ରନ)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ବୁମରା । ଶେଷରେ ଶୋଏବ ବସିର(୨ ରନ)ଙ୍କ ଆଉଟ୍ ସହ ଇଂଲଣ୍ଡର ଇନିଂସ ୧୯୨ ରନରେ ଅନ୍ତ ଘଟିଛି ।