ଇଡି ଚଢାଉ : ୧୦ କୋଟି ନଗଦ, ସୁନା ଜବତ
କୋଲକାତା : ବେଆଇନ ଭାବେ କୋଇଲା ଖଣି ଖନନ ନେଇ ଦୁଇ ପଡୋଶୀ ରାଜ୍ୟରେ କୋଇଲା ମାଫିଆଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ତଦନ୍ତର ଅଂଶ ସ୍ୱରୂପ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଏକ ମେଗା ସର୍ଚ୍ଚ ଅପରେସନ୍ ଚଳାଇ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଓ ସୁନା ଜବତ କରିଛି । ସକାଳ ୬ଟା ସମୟରେ ୪୦ ରୁ ଅଧିକ ଘର ଓ କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା । ଯେଉଁଥିରେ ଇଡିର ପ୍ରାୟ ୧୦୦ ଅଧିକାରୀ ଏବଂ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।
ପଶ୍ଚିମବଙ୍ଗରୁ ୮ କୋଟି ଟଙ୍କାର ନଗଦ ଏବଂ ସୁନା ଜବତ କରାଯାଇଛି । ସେହିପରି ଝାଡ଼ଖଣ୍ଡରେ ପ୍ରାୟ ୨.୨ କୋଟି ଟଙ୍କାର ନଗଦ ଜବତ କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ ଝାଡ଼ଖଣ୍ଡରେ ଥିବା ଘର ଠାବ କରାଯାଇଥିବା ସ୍ଥାନରୁ ପ୍ରାୟ ୧୨୦ ଟି ଜମି କାଗଜପତ୍ର ମଧ୍ୟ ଜବତ କରାଯାଇଛି । ସନ୍ଧ୍ୟା ପର୍ଯ୍ୟନ୍ତ ଚଢାଉ ଜାରି ରହିଥିଲା ।ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରାଯାଉଛି । ଝାଡ଼ଖଣ୍ଡରେ, ଏଜେନ୍ସି କୋଇଲା ଚୋରି ଏବଂ ଚୋରା ଚାଲାଣ ସହ ଜଡିତ ତଦନ୍ତର ଅଂଶ ସ୍ୱରୂପ ପ୍ରାୟ ୧୮ ଟି ସ୍ଥାନରେ ଚଢାଉ କରିଛି । ଅନୀଲ ଗୋୟଲ, ସଞ୍ଜୟ ଉଦ୍ୟୋଗ, ଏଲ ବି ସିଂହ ଏବଂ ଅମର ମଣ୍ଡଳ ନାମକ ସଂସ୍ଥାର କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଛି ।
ମାମଲାର ସାମୂହିକ ସ୍ତରରେ "ଗୁରୁତ୍ୱପୂଣ୍ଣ’ କୋଇଲା ଚୋରି ଜଡିତ, ଯାହା ଫଳରେ ସରକାରଙ୍କୁ ଶହ ଶହ କୋଟି ଟଙ୍କାର ବ୍ୟାପକ ଆର୍ଥିକ କ୍ଷତି ହୋଇଛି । ପଶ୍ଚିମବଙ୍ଗରେ କୋଇଲାର ଅବୈଧ ଖଣି, ପରିବହନ ଏବଂ ସଂରକ୍ଷଣର ତଦନ୍ତର ଅଂଶ ସ୍ୱରୂପ ଦୁର୍ଗାପୁର, ପୁରୁଲିଆ, ହାଓଡ଼ା ଏବଂ କୋଲକାତା ଜିଲ୍ଲାରେ ପ୍ରାୟ ୨୪ ଟି ସ୍ଥାନରେ ଚଢାଉ କରାଯାଇଥିଲା । ସେମାନଙ୍କ ମଧ୍ୟରେ ନରେନ୍ଦ୍ର ଖାରକା, ଯୁଧିଷ୍ଠର ଘୋଷ, କୃଷ୍ଣ ମୁରାରୀ କୟାଲ, ଚିନ୍ମୟୀ ମଣ୍ଡଳ, ରାଜକୋଷୋର ଯାଦବ ଏବଂ ଅନ୍ୟମାନେ ଅଛନ୍ତି ।