ଭୂଗୋଳରୁ ଲିଭିଯିବ ପାକିସ୍ତାନ : ସେନା ମୁଖ୍ୟ

ଭୂଗୋଳରୁ ଲିଭିଯିବ ପାକିସ୍ତାନ : ସେନା ମୁଖ୍ୟ

ଜୟପୁର : ଆତଙ୍କବାଦ ବିରୋଧରେ କଡା ଆଭିମୁଖ୍ୟ ଦେଖାଇଛନ୍ତି ଭାରତର ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସେ ପାକିସ୍ତାନୁ କଡା ଭାଷାରେ ଚେତାବନୀ ଦେଇଛନ୍ତି । ପାକିସ୍ତାନକୁ ପ୍ରାୟୋଜିତ ଆତଙ୍କବାଦ ବନ୍ଦ କରିବାକୁ ପଡିବ ନଚେତ୍‌ ଇତିହାସ ଓ ଭୂଗୋଳରେ ଏହାର ଅସ୍ତିତ୍ୱ ଲିଭିଯିବ ବୋଲି ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଜେନେରାଲ ଦ୍ୱିବେଦୀ ଏପରି କହିଛନ୍ତି । ଭାରତକୁ ପୁଣି ଥରେ ଉସୁକାଇଲେ ଆମେ କୌଣସି ପ୍ରକାରର ସଂଯମତା ଆଉ ଦେଖାଇବୁ ନାହିଁ ବୋଲି ଅପରେସନ ସିନ୍ଦୁର ୧.୦ ସମୟରେ ନିଆଯାଇଥିବା ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନକୁ ମନେ ପକାଇ ଦେଇଥିଲେ ।

ଯଦି ପାକିସ୍ତାନ ବିଶ୍ୱ ମାନଚିତ୍ରରେ ନିଜର ସ୍ଥାନ ବଜାୟ ରଖିବାକୁ ଚାହୁଁଛି, ତେବେ ଏହାକୁ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ବନ୍ଦ କରିବାକୁ ପଡିବ । ଆମେ ଅପରେସନ ସିନ୍ଦୁର ୧.୦ ସମୟରେ ଯେପରି କରିଥିଲୁ ସେହିପରି ଏଥର କୌଣସି ସଂଯମତା ଦେଖାଇବୁ ନାହିଁ । ଯଦି ପୁଣି ଥରେ ଭାରତକୁ ଉତ୍ତେଜିତ କରାଯାଏ  ତେବେ ଆଉ ଏକ ପାଦ ଆଗକୁ ବଢ଼ିବୁ ବୋଲି ସେନା ମୁଖ୍ୟ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭବିଷ୍ୟତର କାର୍ଯ୍ୟାନୁଷ୍ଠାନ ଏତେ ଭୟଙ୍କର ହୋଇପାରେ ଯେ ପାକିସ୍ତାନକୁ ଇତିହାସ ଓ ଭୂଗୋଳରେ ସ୍ଥାନ ଚାହୁଁଛି କି ନାହିଁ ତାହା ପୁନଃ ଚିନ୍ତା କରିବାକୁ ପଡ଼ିପାରେ । ମେ ୭ ତାରିଖରେ କରାଯାଇଥିବା ଅପରେସନ ସିନ୍ଦୂରରେ ଭାରତୀୟ ସେନା ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ଓ ପାକିସ୍ତାନ ଭିତରେ ୯ଟି ଆତଙ୍କବାଦୀ ଲଞ୍ଚପ୍ୟାଡ ଉପରେ ସଠିକ୍‌ ଆକ୍ରମଣ କରିଥିଲେ । ଏହି ଅଭିଯାନରେଦ୍ଭ  ୧୦୦ ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଅବସରରେ ଜେନେରାଲ ଦ୍ୱିବେଦୀ ଭାରତୀୟ ସୈନିକଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯଦି ସେମାନଙ୍କୁ ଉସୁକା ଯାଏ ତେବେ ଆକ୍ରମଣ କରିବାର ଆଉ ଏକ ସୁଯୋଗ ମିଳିବାର ସମ୍ଭାବନା ରହିଛି ବୋଲି ଇଙ୍ଗିତ କରିଛନ୍ତି । "ଦୟାକରି ସମ୍ପୂର୍ଣ୍ଣ ପ୍ରସ୍ତୁତ ରୁହନ୍ତୁ । ଭଗବାନଙ୍କ ଇଚ୍ଛା, ଆପଣମାନେ ଖୁବ୍‌ ଶୀଘ୍ର ଆଉ ଏକ ସୁଯୋଗ ପାଇବେ । ଶୁଭକାମନା’ ବୋଲି ସେ କହିଥିଲେ ।