ଇଣ୍ଡିଆ ଗେଟରେ "ବାୟୁ ପ୍ରଦୂଷଣ' ତାତି
ନୂଆଦିଲ୍ଲୀ : ଦିଲ୍ଲୀ ରେଡ୍ ଜୋନ୍ରେ ପ୍ରବେଶ କରିବାର ଗୋଟିଏ ଦିନ ପରେ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସ୍ତର ୪୦୦ ରୁ ଅଧିକ ରେକର୍ଡ ହୋଇଛି । ଏହାକୁ ରୋକିବା ଦାବିରେ ସାମାଜିକ କର୍ମୀ ଓ ପ୍ରତିବାଦକାରୀ ଆପ ଓ କଂଗ୍ରେସ ଭଳି ବିରୋଧୀ ଦଳର ନେତାମାନଙ୍କ ସହିତ ମିଶି ଇଣ୍ଡିଆ ଗେଟରେ ଶୋଭାଯାତ୍ରା କରିଥିଲେ । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ସରକାର ପ୍ରଭାବଶାଳୀ ନୀତି ପ୍ରଣୟନ କରିବାକୁ ଦାବି କରିଥିଲେ । ତେବେ ପୁଲିସ ଶୋଭାଯାତ୍ରାକୁ ରୋକିବା ସହ ପ୍ରତିବାଦକାରୀଙ୍କୁ ଅଟକ ରଖିଥିଲା ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଦ୍ଧୃତ କରି ପୁଲିସ କହିଥିଲା ଯେ ଇଣ୍ଡିଆ ଗେଟ୍ ନୁହେଁ, ଇଣ୍ଡିଆ ଗେଟ୍ ନୁହେଁ, ଜନ୍ତରମନ୍ତର ହେଉଛି ପ୍ରତିବାଦ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ । ଇଣ୍ଡିଆ ଗେଟ୍ ପ୍ରତିବାଦ କରିବାର ସ୍ଥାନ ନୁହେଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂଆଦିଲ୍ଲୀରେ ନିର୍ଦ୍ଦିଷ୍ଟ ପ୍ରତିବାଦ ସ୍ଥାନ ହେଉଛି ଜନ୍ତରମନ୍ତର । ତେଣୁ ଆମେ ସମସ୍ତଙ୍କୁ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦେଇଛୁ ବୋଲି ନୂଆଦିଲ୍ଲୀର ବରିଷ୍ଠ ପୁଲିସ ଅଧିକାରୀ ଦେବେଶ କୁମାର ମହଲା କହିଛନ୍ତି ।
ପୁଲିସ ପ୍ରଦର୍ଶନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଓ ସେମାନଙ୍କୁ ଅଟକ ରଖିବା ପୂର୍ବରୁ ଇଣ୍ଡିଆ ଗେଟ୍ ପ୍ରାୟ ୩୦ ମିନିଟ୍ ଧରି ପ୍ରତିବାଦର ସାକ୍ଷୀ ରହିଥିଲା । ଜଣେ ପ୍ରତିବାଦକାରୀ କହିଛନ୍ତି ଯେ ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିବାକୁ ଅନୁମତି ଦିଆଯାଉନାହିଁ ଏବଂ ସେମାନଙ୍କୁ ଖାଲି କରାଯାଉଛି । ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଇଣ୍ଡିଆ ଗେଟରେ ଉପସ୍ଥିତ ଥିବା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆୟୋଜନ କରିବା ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର । ଯାହାକୁ ସୁପ୍ରିମକୋର୍ଟ ଅନେକ ଥର ସମର୍ଥନ କରିଛନ୍ତି । ଭୂଷଣ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ପୁଲିସକୁ ନିର୍ଦ୍ଦେଶ ଦେବା "ପ୍ରକୃତରେ ଦୁର୍ଭାଗ୍ୟଜନକ’ ।