ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର : ଡାକ୍ତର ସମେତ ୩ ଗିରଫ

ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର : ଡାକ୍ତର ସମେତ ୩ ଗିରଫ

ଅହମ୍ମଦାବାଦ : ଦେଶରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ (ଏଟିଏସ) ଜଣେ ଡାକ୍ତରଙ୍କ ସମେତ ୩ଜଣ ଦେଶଦ୍ରୋହୀଙ୍କୁ ଗିରଫ କରିଛି । ‘ରିସିନ୍‌' ନାମକ ଏକ ଶକ୍ତିଶାଳୀ ବିଷ ବ୍ୟବହାର କରି ଆତଙ୍କବାଦୀ ଆକ୍ରମଣ କରିବାର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି । ଗୁଜରାଟ ଏଟିଏସ ଡିଆଇଜି ସୁନୀଲ ଯୋଶୀଙ୍କ ଅନୁଯାୟୀ, ତେଲେଙ୍ଗାନାର ଅହମ୍ମଦ ମୋହିୟୁଦ୍ଦିନ ସୈୟଦ ନାମକ ଜଣେ ଡାକ୍ତର । ଉତ୍ତର ପ୍ରଦେଶର ଅନ୍ୟ ଦୁଇଜଣଙ୍କ ସମେତ ଅଭିଯୁକ୍ତମାନେ ଅସ୍ତ୍ର ବିନିମୟ ପାଇଁ ଗୁଜରାଟରେ ଥିଲେ । ଶୁକ୍ରବାର ଏଟିଏସ ଦ୍ୱାରା ସୈୟଦଙ୍କୁ ଗିରଫ କରାଯିବା ପରେ ତାଙ୍କ ପାଖରୁ ଦୁଇଟି ଗ୍ଲକ୍‌ ପିସ୍ତଲ, ଗୋଟିଏ ବେରେଟା ପିସ୍ତଲ, ୩୦ଟି ଜୀବନ୍ତ କାର୍ଟ୍ରିଜ୍‌ ଓ ଚାରି ଲିଟର କାଷ୍ଟର ତେଲ ଜବତ କରାଯାଇଛି ।

      ଯୋଶୀଙ୍କ ଅନୁଯାୟୀ, ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି ଯେ ସେମାନଙ୍କର ହ୍ୟାଣ୍ଡଲର ପାକିସ୍ତାନ ସୀମା ଦେଇ ଡ୍ରୋନ୍‌ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାନ୍ତି । ପଚରାଉଚରା ସମୟରେ ସୈୟଦ ପ୍ରକାଶ କରିଛନ୍ତି ଯେ ସେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ପାଇଁ ଷଡ଼ଯନ୍ତ୍ର କରୁଥିଲେ ଓ ଗାନ୍ଧିନଗର ଜିଲ୍ଲାର କାଲୋଲର ଏକ ନିର୍ଜନ ସ୍ଥାନରୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିଥିଲେ । ଅଧିକାରୀ ଜଣକ କହିଛନ୍ତି ଯେ ସୟଦଙ୍କ ହ୍ୟାଣ୍ଡଲର ଅବୁ ଖାଦିଜା ଆଇଏସକେପି (ଇସଲାମିକ୍‌ ଷ୍ଟେଟ୍‌ ଖୋରାସାନ୍‌ ପ୍ରଦେଶ) ସହିତ ଜଡିତ ଆଫଗାନିସ୍ତାନର ବାସିନ୍ଦା ଥିଲେ ଓ ସେ ପାକିସ୍ତାନର ଅନେକ ବ୍ୟକ୍ତିଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲେ । ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଚୀନ୍‌ରୁ ଏମବିବିଏସ ଡିଗ୍ରୀ ହାସଲ କରିଥିବା ସୟଦ ‘ରିସିନ୍‌' ନାମକ ଏକ ଅତ୍ୟନ୍ତ ଘାତକ ବିଷ ପ୍ରସ୍ତୁତ କରୁଥିଲେ । ସେ ପୂର୍ବରୁ ଆବଶ୍ୟକୀୟ ଗବେଷଣା ଆରମ୍ଭ କରିସାରିଛନ୍ତ । ଉପକରଣ ଏବଂ କଞ୍ଚାମାଲ ସଂଗ୍ରହ କରିଥିଲେ । ପ୍ରାରମ୍ଭିକ ରାସାୟନିକ ପ୍ରକ୍ରିୟାକରଣ ଆରମ୍ଭ କରିଥିଲେ ବୋଲି  ଯୋଶୀ କହିଛନ୍ତି । ସେ କହିଛନ୍ତି ଯେ ସୟଦ ବଡ଼ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ପାଇଁ ଷଡ଼ଯନ୍ତ୍ରର ଅଂଶ ଭାବରେ ପାଣ୍ଠି ସଂଗ୍ରହ ଏବଂ ଲୋକଙ୍କୁ ନିଯୁକ୍ତି କରିବାକୁ ଯୋଜନା କରିଥିଲେ। ତାଙ୍କ ମୋବାଇଲ୍‌ରୁ ସଂଗୃହିତ ସୂଚନା ଆଧାରରେ ସୟଦଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଗିରଫ କରିଛି ଏଟିଏସ ।

       ଅନ୍ୟ ଅଭିଯୁକ୍ତ ଆଜାଦ ସୁଲେମାନ ଶେଖ୍‌ ଏବଂ ମହମ୍ମଦ ସୁହେଲ୍‌ ମହମ୍ମଦ ସଲିମ । ଉଭୟ ଉତ୍ତର ପ୍ରଦେଶର ବାସିନ୍ଦା, ବନାସକାଣ୍ଠା ଜିଲ୍ଲାରେ ଗିରଫ ହୋଇଥିଲେ । ଯୋଶୀ କହିଛନ୍ତି ଯେ ଏହି ଦୁଇଜଣ ରାଜସ୍ଥାନର ହନୁମାନଗଡ଼ରୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରି ସୈୟଦଙ୍କୁ ଯୋଗାଇଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ଲକ୍ଷେ୍ନ, ଦିଲ୍ଲୀ ଏବଂ ଅହମ୍ମଦାବାଦର ଅନେକ ସମ୍ବେଦନଶୀଳ ସ୍ଥାନ ରେକିଙ୍ଗ କରିଥିଲେ ।