ଏଲଓସିରେ ଭାରତର କଡ଼ା ଜବାବ
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ପାକିସ୍ତାନକୁ ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତ ହେଉଥିବା ଜାଣିବାକୁ ମିଳିଛି । ନୂଆଦିଲ୍ଲୀରେ ଘନଘନ ଉଚ୍ଚସ୍ତରୀୟ ବୈଠକ ହେଉଥିବାବେଳେ ଭାରତ-ପାକ୍ ସୀମାରେ ଉତ୍ତେଜନା ବି ପରିଲକ୍ଷିତ ହୋଇଛି । ସେପଟେ ଏଲଓସି ଓ ଅନ୍ତର୍ଜାତୀୟ ସୀମାରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଛି । ପାକ୍ ବାରବାର ଅସ୍ତ୍ରବିରତି ଉଲ୍ଳଂଘନ କରୁଥିବାବେଳେ ଆଜି ଭାରତ କଡ଼ା ଜବାବ ଦେଇଛି । ଭାରତର ଜବାବୀ ହମଲାରେ ପାକିସ୍ତାନ ରେଞ୍ଜର ପଳାୟନ କରିବାକୁ ବାଧ୍ୟ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ସାକ୍ଷାତ କରିଛନ୍ତି । ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ସିନ୍ଧୁ ଚୁକ୍ତି ଜଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗତକାଲି ସେନାକୁ ମୋଦି ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିଥିଲେ । ତିନି ବାହିନୀ ପକ୍ଷରୁ ଏନେଇ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି । ଅତ୍ୟନ୍ତ ସନ୍ତର୍ପଣର ସହ ଭାରତ ରଣନୀତି ଆରମ୍ଭ କରିଦେଇଛି । ବିଶ୍ୱର ଅନେକ ରାଷ୍ଟ୍ର ମଧ୍ୟ ଭାରତକୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇସାରିଛନ୍ତି । ଏମିତିକି ତାଲିବାନୀ ଶାସନାଧିନ ଆଫଗାନିସ୍ତାନ ବି ପହଲଗାମ ଆତଙ୍କୀ ଆକ୍ରମଣକୁ ଭର୍ତ୍ସନା କରିଛି ।
ଅପରପକ୍ଷରେ ଅସ୍ତ୍ରବିରତିକୁ ପାକିସ୍ତାନ ବାରବାର ଉଲ୍ଲଂଘନ କରିଚାଲିଛି । ଏନେଇ କ୍ଷୁବ୍ଧ ଭାରତ ଆଜି ପାକିସ୍ତାନକୁ ଚରମ ଚେତାବନୀ ଦେଇଛି । ଉଭୟ ଭାରତ ଓ ପାକିସ୍ତାନର ମିଲିଟାରୀ ଅପରେସନ୍ ଡିଜି ହଟଲାଇନ୍ ଯୋଗେ କଥା ହୋଇଛନ୍ତି । ଆଲୋଚନା କାଳରେ ଜାମ୍ମୁକାଶ୍ମୀରରେ ପାକ୍ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଥିବାରୁ ଭାରତ କଡ଼ା ଚେତାବନୀ ଦେଇଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସୀମାରେ ଉତ୍ତେଜନା ଲାଗିରହିଛି । ସେପଟେ ଭାରତୀୟ ସେନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ଣ୍ଣ ସ୍ୱାଧୀନତା ଦେବା ପରେ ତାହାକୁ ନେଇ ପାକିସ୍ତାନ ଭୟଭୀତ ହୋଇପଡ଼ିଛି ।