ଟାଟା ଷ୍ଟିଲର ଯୋଡ଼ା ଖଣିକୁ ୫ ତାରକା ରେଟିଂ ପୁରସ୍କାର
ଭୁବନେଶ୍ୱର : ଟାଟା ଷ୍ଟିଲର ଯୋଡ଼ା ଇଷ୍ଟ୍ ଲୌହ ଖଣି ଏବଂ ଖଣ୍ଡବନ୍ଧ ଖଣିକୁ ସମ୍ମାନଜନକ ଷ୍ଟାର ରେଟିଂ ଆୱାର୍ଡ, ରାଜସ୍ଥାନର ଜୟପୁରସ୍ଥିତ ରାଜସ୍ଥାନ ଇଣ୍ଟରନ୍ୟାସନାଲ ସେଣ୍ଟରରେ ସୋମବାର ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଷ୍ଟାର ରେଟିଂ ଆୱାର୍ଡ କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଯୋଡ଼ା ଇଷ୍ଟ ଖଣି ଏପର୍ଯ୍ୟନ୍ତ ଚତୁର୍ଥ ଥର ପାଇଁ ୫ ତାରକା ରେଟିଂ ପୁରସ୍କାର ପାଇଛି । ଏହି ଅବସରରେ, ଝାଡ଼ଖଣ୍ଡରେ ଅବସ୍ଥିତ କମ୍ପାନିର ନୁଆମୁଣ୍ଡି ଲୌହ ଖଣି ସାତ ଷ୍ଟାର ରେଟିଂ ପୁରସ୍କାର ଲାଭ କରିଛି । ଏହି ପ୍ରତିଷ୍ଠିତ ପୁରସ୍କାର ପାଇଥିବା ସାରା ଦେଶର ମାତ୍ର ତିନୋଟି ଖଣି ମଧ୍ୟରୁ ନୁଆମୁଣ୍ଡି ଖଣି ଅନ୍ୟତମ । ପୁରସ୍କାର ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ନୁଆମୁଣ୍ଡି ଖଣି ଲଗାତାର ଆଠ ବର୍ଷ ଧରି ପଞ୍ଚ ତାରକା ରେଟିଂ ହାସଲ କରିଛି । କମ୍ପାନୀର ଓଏମ୍କ୍ୟୁ ଡିଭିଜନର ମହାପ୍ରବନ୍ଧକ ଅତୁଲ କୁମାର ଭଟ୍ଟନାଗର ଏବଂ ନୁଆମୁଣ୍ଡି ଖଣି ଚିଫ ଡି. ବିଜୟେନ୍ଦ୍ର, ନୁଆମୁଣ୍ଡି ଖଣି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି, ଯୋଡ଼ା ଇଷ୍ଟ ଖଣି ଚିଫ ରାଜେଶ କୁମାର ସେହି ଖଣି ପୁରସ୍କାର ଗ୍ରହଣ କରିଥିଲେ ଓ ଖଣ୍ଡବନ୍ଧ ଖଣି ପାଇଁ ଉଦ୍ଦିଷ୍ଟ ପୁରସ୍କାର ଖଣ୍ଡବନ୍ଧ ଖଣି ଚିଫ ଜି.ଭି. ସତ୍ୟନାରାୟଣ ଏବଂ ଓଏମକ୍ୟୁ ଡିଭିଜନ ପ୍ଲାନିଂ ଚିଫ ଅବନିଶ କୁମାର ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଭାରତ ସରକାରଙ୍କ କୋଇଲା ଏବଂ ଖଣି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ରାଜସ୍ଥାନର ମାନ୍ୟବର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏବଂ ଭାରତ ସରକାରଙ୍କ କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ସମ୍ମାନ ପାଇବା ପରିପ୍ରେକ୍ଷୀରେ ଭାଇସ ପ୍ରେସିଡେଣ୍ଟ (ର-ମ୍ୟାଟେରିଆଲ ଡିଭିଜନ) ସନ୍ଦୀପ କୁମାର କହିଛନ୍ତି ଯେ, “ଆମେ ଏହି ପୁରସ୍କାର ପାଇଥିବାରୁ ଗର୍ବିତ, ଯାହା ଆମର ସ୍ଥାୟୀ ଖନନ ପ୍ରତି ରହିଥିବା ଦୃଢ ପ୍ରତିବଦ୍ଧତାର ପ୍ରମାଣ । ଟାଟା ଷ୍ଟିଲରେ ଆମେ ନିରନ୍ତର ନବସୃଜନ ଏବଂ ଉତ୍ତରଦାୟିତ୍ୱପୂର୍ଣ୍ଣ ଖନନ ପ୍ରଣାଳୀ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କରୁଛୁ, ଯାହା ଖଣିଜ ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ଗୋଷ୍ଠୀ ବିକାଶରେ ସହାୟକ ହୋଇଛି । ଏଥିସହ ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଏବଂ ଅନ୍ତର୍ଭୂକ୍ତିକରଣ ବିଶ୍ୱ ସୃଷ୍ଟି କରିବାରେ ସହାୟକ ହୋଇଛି ।’’