ଓଡ଼ିଶାକୁ ଗୁରୁତ୍ୱ ଦେଉଛି ସଂସଦ: ବାଚସ୍ପତି
ଭୁବନେଶ୍ୱର: ଓଡ଼ିଶା ଭଳି ଏକ ଅନୁସୂଚିତ ଜାତି ଓ ଜନଜାତିବହୁଳ ରାଜ୍ୟକୁ ସଂସଦ ଗୁରୁତ୍ୱ ଦେଉଛି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ଗୁରୁବାର ବିଧାନସଭାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବାଚସ୍ପତି କହିଛନ୍ତି, ଦେଶ ସ୍ବାଧୀନତା ପରେ ୧୯୭୬ରୁ ଏଯାବତ୍ ୫ଥର ଦିଲ୍ଲୀରେ ଅନୁସୂଚିତ ଜାତି, ଜନଜାତି ଜାତୀୟ ସମ୍ମିଳନୀ କରାଯାଇଥିବାବେଳେ ପ୍ରଥମଥର ପାଇଁ ଏହା ଓଡ଼ିଶାରେ ହେବାକୁ ଯାଉଛି। ଶୁକ୍ରବାରଠାରୁ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରଠାରେ ଦୁଇଦିନ ଧରି ଏହା ଅନୁଷ୍ଠିତ ହେବ। ଏହାକୁ ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିବେ। ସମ୍ମିଳନୀକୁ ନେଇ ବାଚସ୍ପତି ସୁରମା ପାଢ଼ୀ ଲୋକ ସଭା ବାଚସ୍ପତି, ରାଜ୍ୟ ସଭା ଉପାଧ୍ୟକ୍ଷ ଏବଂ ତାଙ୍କର ସମସ୍ତ ସହଯୋଗୀଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ଏହି ସମ୍ମିଳନୀ ଓଡ଼ିଶା ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଆଲୋଚନା ସହ ଅନ୍ୟ ସମସ୍ତ ରାଜ୍ୟକୁ ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟଙ୍କ ଚାଲିଚଳଣି, ପୋଷାକ ପରିଧାନ, କାର୍ଯ୍ୟକୁଶଳତା, କାରିଗରି ବିଦ୍ୟା, ହସ୍ତଶିଳ୍ପ ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଓଡ଼ିଶାର ଐତିହ୍ୟ, ସଂସ୍କୃତି, ନୃତ୍ୟ-ସଂଗୀତ, ଚାରୁକଳା, କାରୁକଳା ସହିତ ଆଗନ୍ତୁକମାନଙ୍କୁ ପରିଚିତ କରାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅତିଥିମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, କୋଣାର୍କ, ଜନଜାତି ସଂଗ୍ରହାଳୟ ଆଦି ବୁଲାଇ ଦେଖାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ସଂସଦୀୟ କମିଟିର ଅଧ୍ୟକ୍ଷ ଡ. ଫଗନ ସିଂହ କୁଲସ୍ତେ ମଧ୍ୟ ଏହି ସମାବେଶକୁ ସମ୍ବୋଧିତ କରିବେ।