ଓଡ଼ିଶା ପ୍ରୋ ଟି-୨୦ ପ୍ରିମିୟମ ଲିଗ୍ ଦ୍ୱିତୀୟ ମ୍ୟାଚ : ପୁରୀ ଟାଇଟାନ୍ସକୁ ହରାଇଲା କେନ୍ଦୁଝର ମାଇନର୍ସ
କଟକ ଓଡ଼ିଶା ପ୍ରୋ ଟି-୨୦ ଲିଗର ଦ୍ୱିତୀୟ ମ୍ୟାଚରେ କେନ୍ଦୁଝର ମାଇନର୍ସ ବିଜୟୀ ହୋଇଛି । ସ୍ଥାନୀୟ ବାରବାଟୀ ଷ୍ଟାଡ଼ିୟମଠାରେ ଖେଳାଯାଇଥିବା ଏହି ମ୍ୟାଚରେ ସେମାନେ ପୁରୀ ଟାଇଟାନ୍ସକୁ ୪୫ ରନରେ ପରାସ୍ତ କରିଛନ୍ତି । ୧୬୦ ରନର ଟାର୍ଗେଟ ପିଛା କରି ପୁରୀ ଟାଇଟନ୍ସ ପକ୍ଷରୁ ସାନ୍ତନୁ ମିଶ୍ର ଓ ଅନୁରାଗ ଷଡଙ୍ଗୀ ଇନଙ୍ଗସ ଆରମ୍ଭ କରିଥିଲେ । ସାନ୍ତନୁ ୮ଟି ବଲରେ ୪ ରନ କରିଥିବାବେଳେ ଅନୁରାଗ ୮ ବଲରେ ୭ ରନ କରି ଆଉଟ ହୋଇଥିଲେ । ଏହାପରେ ସନ୍ଦୀପ ପଟ୍ଟନାୟକ ୨୨ ବଲରେ ୨୫ ରନ ଓ କାର୍ତ୍ତିକ ବିଶ୍ୱାସ ୨୪ ବଲରେ ୨୩ ରନ କରି କ୍ରିଜରେ ଅଳ୍ପ ସମୟ ପାଇଁ ରହିଥିଲେ । ଏହାଛଡ଼ା ସାୱନ ପହରିଆ ୨୦ ବଲରେ ୧୯ ରନ ସ୍କୋର କରିଥିଲେ । ପୁରୀ ଟାଇଟାନ୍ସ ୧୮.୧ ଓଭରରେ ୧୧୪ ରନ କରି ସମସ୍ତ ୱିକେଟ ହରାଇଥିଲେ । କେନ୍ଦଝର ମାଇନର୍ସ ପକ୍ଷରୁ ସର୍ବେଶ୍ୱର ମହାନ୍ତି ଘାତକ ବୋଲିଂ କରି ୨.୧ ଓଭରରେ ମାତ୍ର ୧୨ ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହାଛଡ଼ା କେଉଝର ମାଇନର୍ସ ପକ୍ଷରୁ ସୟଦ ଟି ଅହମ୍ମଦ ୨ଟି ୱିକେଟ, ସୌମ୍ୟ ଲେଙ୍କା ୧ଟି ଓ ଗୋବିନ୍ଦ ପ୍ରଧାନ ୧ଟି ୱିକେଟ ନେଇଥିଲେ । ଖେଳ ଆରମ୍ଭରେ ଟସ ଜିତିବା ପରେ କେନ୍ଦୁଝର ମାଇନର୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କେନ୍ଦୁଝର ମାଇନର୍ସ ଦଳକୁ ୨୦ ଓଭରରେ ମୋଟ ୧୫୯ ରନ କରିଥିଲା । କେନ୍ଦୁଝର ମାଇନର୍ସର ସର୍ବେଶ୍ୱର ମହାନ୍ତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା ।