ସ୍ୱତନ୍ତ୍ର ଗୀତ ମାଧ୍ୟମରେ ମୋଦିଙ୍କୁ ଜନ୍ମଦିନର ଅଭିନନ୍ଦନ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିନରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ କଳା ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀ ମୋଦିଙ୍କୁ ଅଭିନବ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି । ଭାରତର ବିଭିନ୍ନ ଭାଷାରେ ସ୍ୱତନ୍ତ୍ର ସଙ୍ଗୀତ ପ୍ରସ୍ତୁତ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଟି-ସିରିଜ୍ ଓ ସାରେଗାମା ପକ୍ଷରୁ ଏହିସବୁ ଗୀତ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରୁ ଓଡିଶାର ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଦଶକ ପ୍ରେମ ଆନନ୍ଦଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ଗୀତ ‘ଏଇ ଜଗନ୍ନାଥ ମାଟିରୁ ଜଣାଉଛୁ ଅଭିନନ୍ଦନ’ ବେଶ ଜନଆଦୃତି ଲାଭ କରିଛି । ଏ ଗୀତକୁ ୟୁଟୁ୍ୟବ୍ ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ଦେଖାଯାଉଛି ଓ ସେୟାର କରାଯାଉଛି । ଟି-ସିରିଜ ଦ୍ୱାରା ପ୍ରସ୍ତୁତ ଏହି ଗୀତକୁ ଲୋକପ୍ରିୟ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜ ଓ ଦୀପ୍ତିରେଖା ପାଢୀ ଗାଇଛନ୍ତି । ବହୁ ଲୋକପ୍ରିୟ ଅଭିନେତା ଏହି ଭିଡିଓ ଗୀତରେ ଅଭିନୟ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କଟକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଭୂତିଭୂଷଣ ଜେନା, ମୁକେଶ ମହାଲିଙ୍ଗ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଏହି ଗୀତକୁ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । ସେହିପରି ଲୋକପ୍ରିୟ ଚଳଚ୍ଚିତ୍ର ତାରକା ଅନୁ ଚୌଧୁରୀ, ଶ୍ରୀତମ ଦାସ, ହରିହର ମହାପାତ୍ର, ଅନୁଭବ ମହାନ୍ତି, ପିଙ୍କୀ ପ୍ରଧାନ, ସବ୍ୟସାଚୀ ମିଶ୍ର ପ୍ରମୁଖ ମଧ୍ୟ ଗୀତଟିକୁ ବହୁଳମାତ୍ରାରେ ସେୟାର କରିଛନ୍ତି । ଅନୁରୂପ ଭାବେ ପ୍ରସୂନ ଯୋଶୀଙ୍କ ରଚନା ଏବଂ ବିଶିଷ୍ଟ ଗାୟକ ଶଙ୍କର ମହାଦେବନଙ୍କ ସ୍ୱର ସଂଯୋଜନାରେ ପ୍ରସ୍ତୁତ ହିନ୍ଦୀ ଭାଷାରେ ଆଉ ଏକ ଗୀତ - ‘ବନ୍ଦନୀୟ ହୈ ଦେଶ ମେରା’ ମଧ୍ୟ ଟି-ସିରିଜ୍ ପକ୍ଷରୁ ରିଲିଜ୍ କରାଯାଇଛି । ସେହିପରି ମରାଠୀ, ତେଲୁଗୁ, ଅହମୀୟା ଭାଷାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇ ସ୍ୱତନ୍ତ୍ର ଗୀତ ପ୍ରସ୍ତୁତ କରାଯାଇଛି । ସାରେଗାମା ପକ୍ଷରୁ ମଧ୍ୟ ତାମିଲ ଓ ମାଲୟାଲମ ଭାଷାରେ ଗୀତ ପ୍ରସ୍ତୁତ କରାଯାଇ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।