ସ୍ୱାମୀଜୀ ରାଷ୍ଟ୍ର ନିର୍ମାଣର ଆଧାର : ମୋହନ

ସ୍ୱାମୀଜୀ ରାଷ୍ଟ୍ର ନିର୍ମାଣର ଆଧାର : ମୋହନ

ଭୁବନେଶ୍ୱର : ଆଜି ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣୀବିହାର ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଲିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ସ୍ୱାମୀଜୀଙ୍କୁ ରାଷ୍ଟ୍ର ନିର୍ମାଣର ଆଧାର ଓ ଚାରିତ୍ରିକ ମୂଲ୍ୟବୋଧର ଆଧାର ବୋଲି କହିଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ କିପରି ଯୁବସମାଜକୁ ପ୍ରେରଣା ପ୍ରଦାନ କରୁଛି, ସେ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସ୍ୱାମୀ ବିବେକାନନ୍ଦ ଭାରତର ଯୁବ ସମାଜ ପାଇଁ ଅସୀମ ପ୍ରେରଣାର ଉତ୍ସ । ଯୁବବର୍ଗ ପ୍ରତି ତାଙ୍କର ଅତୁଟ ଭରସା ଥିଲା ଏବଂ ସେ ସବୁବେଳେ କହୁଥିଲେଯେ, ଯୁବ ସମାଜ ହିଁ ଭାରତର ଭାଗ୍ୟ ପରିବର୍ତ୍ତନ କରିପାରିବ ।


   ସ୍ୱାମୀଜୀଙ୍କ ପ୍ରଦତ୍ତ ଶିକ୍ଷା କହିଲେ ‘କେବଳ ଯଥାର୍ଥ ଜ୍ଞାନ ଅର୍ଜନ, କିମ୍ୱା ପୋଥିଗତ ବିଦ୍ୟା ନୁହେଁ ।’ ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା, ଶୃଙ୍ଖଳା ଓ ଆତ୍ମବିଶ୍ୱାସକୁ ସେ ଶିକ୍ଷାର ମୂଳମନ୍ତ୍ର ବୋଲି କହୁଥିଲେ । ପାଶ୍ଚାତ୍ୟ ବିଜ୍ଞାନ ସହ ବେଦାନ୍ତର ସମନ୍ୱୟକୁ ସେ ଗୁରୁତ୍ୱ ଭାବେ ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେଯେ, ଯୁବ ସଶକ୍ତିକରଣ ପାଇଁ ଶିକ୍ଷା ସହିତ ସରକାର ବିଭିନ୍ନ ଯୁବ ସେବାମୂଳକ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ପ୍ରଶିକ୍ଷଣ, ଦକ୍ଷତା ବୃଦ୍ଧି, ଖେଳକୁଦରେ ଉତ୍କର୍ଷତା ଓ ସାଂସ୍କୃତିକ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଅନେକ ଯୋଜନା ରୂପାୟନ କରାଯାଇଛି । ଆଜି ଓଡ଼ିଶା ଦେଶର ‘ଖେଳ ରାଜଧାନୀ’ ଭାବେ ପରିଚିତ । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଓଡିଶାର ଯୁବବର୍ଗ ଆଜି ବିଶ୍ୱସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି ଓ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଫିଟ ଇଣ୍ଡିଆ ମିଶନ ଏକ ଦେଶବ୍ୟାପୀ ଆନ୍‌ଦୋଳନରେ ପରିଣତ ହେବା ସହ ପ୍ରତ୍ୟେକ ଭାରତୀୟଙ୍କୁ ସୁସ୍ଥ ଓ ସଫଳ ଜୀବନଶୈଳୀ ନିମନ୍ତେ ଅନୁପ୍ରାଣିତ କରୁଛି । ଏହି କାର୍ଯ୍ୟକ୍ରମ ଅବସରରେ ବିଧାୟକ  ବାବୁ ସିଂ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଡଃ ଯଜେ୍ଞଶ୍ୱର ଦଣ୍ଡପାଟ, ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।