‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ କର୍ମଶାଳା : ଭାରତ ଜିଡିପିରେ ରାଜ୍ୟର ୫% ଯୋଗଦାନ ଲକ୍ଷ୍ୟ
ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ଭବନରେ ‘ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା’ ବିଷୟବସ୍ତୁ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଭିଜନ ଡକୁ୍ୟମେଣ୍ଟର ରଣନୈତିକ ଜ୍ଞାନ ଅଂଶୀଦାର ମ୍ୟାକ୍କିନ୍ସେ ଆଣ୍ଡ କମ୍ପାନୀର ବିଶେଷଜ୍ଞମାନେ ସହଯୋଗ କରିଥିଲେ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ସହିତ ଓଡ଼ିଶାର ବିକାଶମୂଳକ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଆଜିର କର୍ମଶାଳାର ଥିଲା ମୁଖ୍ୟ ଉଦେ୍ଦଶ୍ୟ ଓ ଲକ୍ଷ୍ୟ । ଏହି ଅଧିବେଶନରେ ରାଜ୍ୟର ଦୀର୍ଘକାଳୀନ ଆକାଂକ୍ଷାକୁ ରୂପରେଖା ଦିଆଯାଇଥିଲା । ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରର ଜିଏସଡିପି ହାସଲ କରିବା, ଭାରତର ଜିଡିପିରେ ୫% ଯୋଗଦାନ ଦେବା ଏବଂ ୧ କୋଟିରୁ ଅଧିକ ଅଣ-କୃଷି ନିଯୁକ୍ତି ସୃଷ୍ଟି କରିବା ଆଦି କର୍ମଶାଳା ଲକ୍ଷ୍ୟର ଅନ୍ତର୍ଭୁକ୍ତ ।
"ଭିଜନ ୨୦୩୬ ଏବଂ ୨୦୪୭’ ଛଅଟି ମୁଖ୍ୟ ବିଷୟବସ୍ତୁ ଉପରେ ଆଧାରିତ । ପ୍ରଥମେ ଲୋକ, ଗ୍ରାମୀଣ ସଶକ୍ତିକରଣ, ସମସ୍ତଙ୍କ ପାଇଁ ସମୃଦ୍ଧି, ଐତିହ୍ୟ, ପ୍ରଯୁକ୍ତି-ନେତୃତ୍ୱାଧୀନ ଅଭିବୃଦ୍ଧି ଏବଂ ଜନକୈନ୍ଦ୍ରିକ ଶାସନ । ଆଜିର ଅଧିବେଶନରେ "୩୬ ପାଇଁ ୩୬’ ପ୍ରମୁଖ କାର୍ଯ୍ୟକ୍ରମର ଉପସ୍ଥାପନା କରାଯାଇଥିଲା । ଯାହା ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଦକ୍ଷତା, କୃଷି ଏବଂ ଜଳବାୟୁ ଭଳି କ୍ଷେତ୍ରଗୁଡ଼ିକରେ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ଡିଜାଇନ୍ କରାଯାଇଥିଲା । ଶ୍ରୀମତୀ ପାଢୀ ସମୟୋଚିତ ବିତରଣ ଏବଂ ମାପଯୋଗ୍ୟ ଫଳାଫଳ ସୁନିଶ୍ଚିତ କରିବା ପାଇଁ ଦୃଢ଼ ସଂସ୍ଥାଗତ କ୍ଷମତା, ତଥ୍ୟ-ଚାଳିତ ଶାସନ ଏବଂ ବିଭାଗ ମଧ୍ୟରେ ଦୃଢ଼ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।