ବଡ଼ ଯାଆକୁ ସାନ ଯାଆର ଆକ୍ରମଣ

 କାକଟପୁର : କାକଟପୁର ଥାନା ଅଧିନସ୍ଥ ଗୋରୋଡ଼ିତୋଟା ଗ୍ରାମରେ ଗତକାଲି ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଉକ୍ତ ଗ୍ରାମର ବାସନ୍ତୀ ପ୍ରଧାନ ବିଜେପିକୁ ଭୋଟ ଦେବାରୁ ତାଙ୍କ ସାନ ଯାଆ ଆରତୀ ପ୍ରଧାନ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏପରିକି ଦୀର୍ଘ ଏକ ବର୍ଷ ହେବ ସାନ ଯାଆର ଆକ୍ରୋଶର ଶିକାର ହେଉଛନ୍ତି ବଡ଼ ଯାଆ ବାସନ୍ତୀ । ବାରମ୍ବାର ବାସନ୍ତୀ ଥାନାକୁ ଦୌଡ଼ି ନ୍ୟାୟ ମାଗିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ନିଃସହାୟ ବାସନ୍ତୀ । ଏଠାରେ ସୂଚନା ଥାଉକି ବାସନ୍ତୀ ଜଣେ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି । ଗତକାଲି ବିଳମ୍ବିତ ରାତ୍ରରେ  ସେ କାମରୁ ଫେରି ଘରେ ପହଞ୍ଚିଲା ବେଳକୁ ଘର ଦୁଆରମୁଁହରେ ଗୋଡ ଧୋଇବାବେଳେ ତାଙ୍କ ସାନ ଯାଆ ଆରତୀ ପ୍ରଧାନ ପୂର୍ବ ଶତ୍ରୁତାରୁ ଆକ୍ରୋଶ ରଖି ମରଣାନ୍ତକ ଆକ୍ରମଣ କରିଥିଲେ । ଯେଉଁଥିରେ ବାସନ୍ତୀଙ୍କ ହାତ, ମୁଁହ, ବେକ, ଗୋଡ ସମେତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇ ରକ୍ତ ଝରୁଥିବା ଦେଖିବାକୁ ମିଳିଛି । ସେ ତତକ୍ଷଣାତ ଡାକ୍ତରୀ ଚିକିସôା ହେବାପରେ ନ୍ୟାୟ ପାଇଁ କାକଟପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଅଦ୍ୟାବଧି ପୁଲିସ ଅଭିଯୁକ୍ତକୁ ଥାନାକୁ ଆଣିବାରେ ସକ୍ଷମ ହୋଇନାହିଁ । ଗତ ଏକ ବର୍ଷ ହେବ ବିଜେପିକୁ ଭୋଟ ଦେବାରୁ ବାରମ୍ବାର ଏଭଳି ଦଶା ଭୋଗୁଛନ୍ତି ବୋଲି ବାସନ୍ତୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।