ଶୁଣିଲାନି ପ୍ରଶାସନ : ରାସ୍ତା ନିର୍ମାଣ କଲେ ଗାଁ ଲୋକେ

 ନୂଆପଡ଼ା  : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବିଶିବାହାଲରୁ ଲକ୍ଷ୍ମଣସାଗର ଦେଇ ମଲ୍ଲିକପଡାକୁ ରାସ୍ତା ନିର୍ମାଣ ପାଇଁ ଗାଁ ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ ବି ପ୍ରଶାସନ ଶୁଣିନଥିଲା । ଶେଷରେ ଆଜି ଗାଁ ଲୋକେ ଶ୍ରମଦାନ କରିବା ସହ ଚାନ୍ଦା କରି ବିଶିବାହାଲରୁ ମଲ୍ଲିକପଡା ମାଟି ମୁରୁମ ରାସ୍ତା ନିର୍ମାଣ କରିଛନ୍ତି । ମିଛାପାଲି ପଞ୍ଚାୟତ ବିଶିବାହାଲରୁ  ଲକ୍ଷ୍ମଣସାଗର ଦେଇ ମଲ୍ଲିକପଡ଼ାକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତା ନିର୍ମାଣ ହୋଇନଥିଲା । 
ଦୀର୍ଘ ବର୍ଷ ହେବ ବର୍ଷା ଦିନେ ଗାଁ ଲୋକେ କାଦୁଅ ଲଚପଚ ରାସ୍ତାରେ ଯାତାୟାତ କରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏଥିପାଇଁ ବିଗତ ବର୍ଷରେ ବିଶିବାହାଲ ଗ୍ରାମବାସୀ କୋମନା ବିଡ଼ିଓଙ୍କୁ ଭେଟି ଅଭିଯୋଗ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା । ପରେ ଗାଁ ଲୋକେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ଭେଟି ରାସ୍ତା ତିଆରି କରିବାକୁ ଅନୁରୋଧ କରିଥିଲେ । ସେଠି ତୁରନ୍ତ ରାସ୍ତା ତିଆରି ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ  । ହେଲେ କିଛି ହେଲାନି, ସମସ୍ୟାର ସମାଧାନ ହୋଇନଥିଲା  । ଗତ ଏପ୍ରିଲ ୨୮ରେ କୋମନା ବ୍ଳକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଗାଁ ଲୋକେ ସାମୁହିକ ଭାବେ ଜିଲ୍ଲାପାଳଙ୍କୁ  ଭେଟି ରାସ୍ତା ତିଆରି କରିବାକୁ ଜଣାଇଥିଲେ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ କୋମନା ବ୍ଲକ୍ ପ୍ରଶାସନ ପକ୍ଷରୁ ସହକାରୀ ଯନ୍ତ୍ରୀ ଆସି ରାସ୍ତା ପରିଦର୍ଶନ କରିଥିଲେ । ସେଠି ସର୍ଭେ କରି ବିଡ଼ିଓଙ୍କୁ ରିପୋର୍ଟ ଦେବା ପରେ ବି ରାସ୍ତା ତିଆରି କାମ ହୋଇନଥିଲା । ଗତ ୭ ଦିନ ତଳେ କୋମନା ବିଡ଼ିଓ ବିନୟ ଭୋଇଙ୍କୁ ଫୋନ୍ କରି ଅଭିଯୋଗକୁ ମନେ ପକାଇଥିଲେ । ଏବେ କୌଣସି ଫଣ୍ଡ ନାହିଁ ଓ ଫଣ୍ଡ ଆସିଲେ କାମ ହେବ ବୋଲି ରୋକଠୋକ ଉତ୍ତର ଦେଇ ଅଭିଯୋଗକୁ ଏଡାଇ ଡେଇଥିଲେ ବୋଲି ଗାଁର ଧନୁର୍ଯ୍ୟ ପ୍ରଧାନ କହିଛନ୍ତି । ଗତ ଦୁଇ ଦିନ ତଳେ ଗାଁ ଲୋକେ ଉପାୟଶୁନ୍ୟ ହୋଇ ବୈଠକ କରିଥିଲେ  । ରାସ୍ତା କଡରେ ମାଟି କି ମୁରୁମ ନଥିବାରୁ ଗାଁ ଲୋକେ ଅଡ଼ୁଆରେ ପଡ଼ିଥିଲେ । ଗାଁ ଲୋକେ ପ୍ରତି ଘରୁ ଚାନ୍ଦା କରି ୨୫ହଜାର ଟଙ୍କା ସଂଗ୍ରହ କରିଥିଲେ । ସେହି ରାସ୍ତାରେ ବେଶୀ ଯାତାୟାତ କରୁଥିବା ଗ୍ରାମବାସୀ ନିଜେ ନିଜ ପରିଶ୍ରମ ଲଗାଇ ରାସ୍ତା ତିଆରି କରିବାକୁ ଆଗେଇ ଆସିଥିଲେ । ଗତକାଲି ଗାଁ ଲୋକେ ରଫା ଓ ଝୁଡ଼ି ଧରି ରାସ୍ତା ନିର୍ମାଣ ପାଇଁ ବାହାରିଥିଲେ  । ଚେରେଚୁଆଁ ଘାଟି ତଳରୁ ଏକ ସିମେଣ୍ଟ ପାଇପକୁ ଆଣି ରାସ୍ତାରେ ପୋତିଥିଲେ । ପରେ ଜେସିବିରେ ମାଟି ଓ ମୁରୁମ ଖୋଲି ଟ୍ରାକ୍ଟରରେ ଆଣି ରାସ୍ତାରେ ପକାଇଥିଲେ । ପରେ ଗାଁ ଲୋକେ ରଫା ଓ ଝୁଡ଼ିରେ ମାଟି ଓ ମୁରୁମ ବିଛାଇଥିଲେ । ଆଜି ପୁଣି ଗାଁ ଲୋକେ ଶ୍ରମଦାନ କରି ରାସ୍ତା କାମ କରିଥିଲେ  । ଏଭଳି ଦୁଇ ଦିନ ଶ୍ରମଦାନ କରି ରାସ୍ତା ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ । ଏବେ ବିଶିବାହାଲରୁ ମଲ୍ଲିକପଡ଼ାକୁ ଯାତାୟାତ ସ୍ୱାଭାବିକ ହୋଇଛି  । ଏଠି ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଶୁଣିନଥିଲା  । ଶେଷରେ ଗାଁ ଲୋକେ ଅର୍ଥ ସଂଗ୍ରହ କରି ରାସ୍ତା ତିଆରି କରିବାର ସଂକଳ୍ପ ନେଲୁ ଓ ରାସ୍ତା ତିଆରି କଲୁ ବୋଲି ଗ୍ରାମବାସୀ କହିଛନ୍ତି । ଏହି ରାସ୍ତା କାର୍ଯ୍ୟରେ ଗାଁର ମାୟାଧର ପ୍ରଧାନ ପଞ୍ଚାନନ ପ୍ରଧାନ, ରାଜେଶ ପ୍ରଧାନ, ଭାଗିରଥି  ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ ।