କଟକ ବଡ଼ ମେଡିକାଲରେ ଚାଲିଛି ଜାଲ ଭିନ୍ନକ୍ଷମ ପ୍ରମାଣ ପତ୍ର : ଆରମ୍ଭ ହେଲା ତନାଘନା
କଟକ ବଡ଼ ମେଡିକାଲରେ ଚାଲିଛି ଜାଲ ଭିନ୍ନକ୍ଷମ ପ୍ରମାଣ ପତ୍ର । ଏନେଇ ରାଷ୍ଟ୍ରପତିଙ୍କ ପାଖରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ଚିଠି ଆସିଛି । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବଙ୍କୁ ରାଷ୍ଟ୍ରପତି ଭବନରୁ ଚିଠି ଆସିବା ପରେ ତନାଘନା ଆରମ୍ଭ ହୋଇଛି । ସ୍ୱତନ୍ତ୍ର ସଚିବ ଏସସିବି ମେଡିକାଲ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଏନେଇ ଉତ୍ତର ରଖିବାକୁ କହିଛନ୍ତି । ଏସିସିବି ମେଡିକାଲ କଲେଜ ପକ୍ଷରୁ ଏହି ଘଟଣାର ତଦନ୍ତ ପାଇଁ ଡିଏମଇଟିଙ୍କୁ ଚିଠି କରାଯାଇଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ୨୦୧୯ ମସିହାରେ ଗଞ୍ଜାମ ଅଞ୍ଚଳର ଜଣେ ଯୁବତୀ ଭିନ୍ନକ୍ଷମ କୋଟାରେ ଆସିଷ୍ଟାଣ୍ଟ ଏକଜ୍ୟୁକୁଟିଭ ଅଫିସର ପରୀକ୍ଷା ଦେଇ ପାସ୍ ହୋଇଥିଲେ । ସେ ନିଜକୁ ୬୦ ପ୍ରତିଶତ ଭିନ୍ନକ୍ଷମ ଦର୍ଶାଇ ଡିଜାବିଲିଟି ସାର୍ଟିଫିକେଟ ମଧ୍ୟ ଦାଖଲ କରିଥିଲେ ।
୨୦୨୦ରେ ପ୍ରମାଣପତ୍ର ଯାଞ୍ଚ ବେଳେ ଯୁବତୀ ଜଣକ ଭିନ୍ନକ୍ଷମ ନଥିବା ଜଣା ପଡିଥିଲା । ୨୦୨୧ ଫେବୃଆରୀ ୨୬ରେ ଯୁବତୀ ଜଣକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏସସିବି ଅର୍ଥୋପେଡ଼ିକ୍ ମେଡ଼ିକାଲ ବୋର୍ଡରେ ପହଞ୍ଚିବା ପରେ ବିନା ପରୀକ୍ଷାରେ ତାଙ୍କୁ ୬୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ର ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ମୀନକେତନ ସାହୁ ରାଷ୍ଟ୍ରପତିଙ୍କୁ ଚିଠି ଦ୍ବାରା ଜଣାଇଥିଲେ । ଏବେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଆସିବା ପରେ ଏବେ ତନାଘନା ଆରମ୍ଭ ହୋଇଛି । ଏହି ଘଟଣା ଏବେ ଏସସିବିର ବିଶ୍ୱସନୀୟତା ଉପରେ ବିରାଟ ପ୍ରଶ୍ନ ଛିଡା କରିଛି ।