ଦିଲ୍ଲୀ ନିର୍ବାଚନ ପରେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

BJP PRESIDENT

ଦିଲ୍ଲୀ ନିର୍ବାଚନ ପରେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

ଚର୍ଚ୍ଚାରେ ଖଟ୍ଟର, ଶିବରାଜ, ଭୂପେନ୍ଦ୍ର, ଧର୍ମେନ୍ଦ୍ର ଓ ତାୱଡେ଼
ଦଳିତ ନେତା ବି ଧରିପାରନ୍ତି ମଙ୍ଗ

ଭୁବନେଶ୍ୱର : କିଏ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଜେପି ନଡ୍ଡାଙ୍କ ସ୍ଥାନରେ କିଏ ? ଏହାକୁ ନେଇ ଏବେ ଦିଲ୍ଲୀ ରାଜନୀତି ସରଗରମ ହୋଇଯାଇଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ  ଆରଏସଏସ ସରସଂଘଚାଳକ ମୋହନ ଭାଗୱତ ହିଁ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରିବେ  । ରାଜନୀତିକ ସମୀକ୍ଷକଙ୍କ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଶିବରାଜ ସିଂ ଚୌହ୍ୱାନ, ଭୂପେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ପ୍ରଧାନ ରେସ୍‌ରେ ଅଛନ୍ତି  । ସେପଟେ ଅନ୍ୟ କେତେକଙ୍କ ମତରେ ଏବେ ଦଳିତ ରାଜନୀତି ଜୋର ଧରିଛି  । ତେଣୁ ଜଣେ ଦଳିତ ନେତାଙ୍କୁ ମଧ୍ୟ ବିଜେପି ରାଷ୍ଟ୍ରୀୟ ମଙ୍ଗ ଦେଇପାରେ ବୋଲି କୁହାଯାଉଛି  ।

ଦିଲ୍ଲୀ ନିର୍ବାଚନ ପରେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରାଯିବ । ଏନେଇ ପ୍ରକ୍ରିୟା ବି ଆରମ୍ଭ ହୋଇଗଲାଣି  । ଫେବୃଆରୀ ୧୦ରୁ ୨୦ ମଧ୍ୟରେ ନଡ୍ଡାଙ୍କ ସ୍ଥାନରେ ନୂଆ ସଭାପତି ଦାୟିତ୍ୱ ନେବେ ବୋଲି ଜାଣିବାକୁ ମିଳିଛି  । ଏବେକାର ସଭାପତିଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୪ରେ ସରୁଥିଲା  । କିନ୍ତୁ ସାଧାରଣ ନିର୍ବାଚନ ପାଇଁ ତାହାକୁ ଏକ ବର୍ଷ ବୃଦ୍ଧି କରାଯାଇଥିଲା  । ଅପରପକ୍ଷରେ ବିଜେପିର ସାଂଗଠନିକ ନିର୍ବାଚନ ଜାରିରହିଛି  । ୫୦% ରାଜ୍ୟ ୟୁନିଟ୍‌ରେ ସଭାପତି ଚୟନ ପରେ ରାଷ୍ଟ୍ରୀୟ ସଭାପତି ଚୟନ କରାଯିବ । ଏଯାବତ୍‌ ୫ ରାଜ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆସନ୍ତା ସପ୍ତାହରେ ଆଉ ଆଠ ଦଶ ରାଜ୍ୟର ସଭାପତି ଚୟନ ହେବାର ସମ୍ଭାବନା ରହିଛି  । ଫେବୃଆରୀ ୫ରେ ଦିଲ୍ଲୀରେ ନିର୍ବାଚନ ରହିଛି  । ଏହା ପରେପରେ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଚୟନ ପାଇଁ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ଜାଣିବାକୁ ମିଳିଛି  ।  

ଅନ୍ୟ ଏକ ରାଜନୀତିକ ଆଲୋଚନା ଅନୁଯାୟୀ, ସମ୍ପ୍ରତି ଆମ୍ବେଦରକଙ୍କୁ ନେଇ ରାଜନୀତି ଜୋର୍‌ ଧରିଛି  । ଏନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ବି ହୋଇଛନ୍ତି  । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଦଳିତ ବର୍ଗର  । ତେଣୁ ବିଜେପି ବି ଦଳିତ ନେତାଙ୍କୁ ମଙ୍ଗ ଧରାଇପାରେ ବୋଲି କୁହାଯାଉଛି  । ଯଦି ଦଳିତ ନେତାଙ୍କୁ ବିଜେପି ସଭାପତି କରେ ତେବେ କଂଗ୍ରେସକୁ କାଉଣ୍ଟର କରିପାରିବ  । ଏଭଳି କ୍ଷେତ୍ରରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌, ଦଳର ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ ଓ ୟୁପି ମନ୍ତ୍ରୀ ବେବି ରାଣୀ ମୌର୍ଯ୍ୟଙ୍କ ନାଁ ବି ଉଠୁଛି  । 

ଅପରପକ୍ଷରେ ଜାତି ସହ ବୟସକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । କଂଗ୍ରେସ ଏବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆଗକୁ ଛାଡ଼ିଛି  । ସେହିପରି ସମାଜବାଦ ପାର୍ଟି ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ଅଭିଷେକ ବାନାର୍ଜୀ ଓ ଆରଜେଡ଼ି ତେଜସ୍ୱୀ ଯାଦବଙ୍କୁ ଆଗକୁ ଆଣିଲାଣି  । ଆଗାମୀ ଦିନରେ ବିହାର ନିର୍ବାଚନ ହେବ  । ତେଣୁ ଯୁବବର୍ଗ ଅର୍ଥାତ୍‌ ୬୦ରୁ କମ୍‌ ବୟସର ନେତାଙ୍କ ଉପରେ ବି ମୋଦି ଓ ଶାହାଙ୍କର ନଜର ରହିଛି  ।