‘କନ୍ୟା ବିବାହ ଯୋଜନାରେ ବିଧବା ଝିଅଙ୍କୁ ଅନ୍ତର୍ଭୁକ୍ତ କର’
ଭୁବନେଶ୍ୱର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଅଙ୍ଗନବାଡି କେନ୍ଦ୍ରମାନଙ୍କରେ କାର୍ଯ୍ୟକାରୀ ହେଉଥିବା ‘ଆମେ ପଢିବା ଆମ ଭାଷାରେ’ ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ବର୍ତ୍ତମାନ ରାଜ୍ୟର ୧୫ ଜିଲ୍ଲାର ୧୦,୬୨୯ ଅଙ୍ଗନବାଡି କେନ୍ଦ୍ରରେ ୧୭ଟି ଦେଶୀୟ ଭାଷାରେ ପିଲାମାନଙ୍କୁ ପ୍ରାରମ୍ଭିକ ଶ୍ରେଣୀରେ ନିଜ ମାତୃଭାଷାରେ ଶିକ୍ଷାଦାନ କରାଯାଉଛି । ଏହି ସବୁ ଭାଷାଗୁଡିକ ହେଲା ଦେଶୀଆ, ଭୂମିଜ, ବିଂଝାଲ, ଗୋଣ୍ଡି, ହୋ, ସାଦ୍ରି, ଖଡିଆ, ବଣ୍ଡା, ମୁଣ୍ଡା, କୋୟା, କୁଭି, କୁଇ, ସଉରା, ସାନ୍ତାଳୀ, ଓରାମ୍, କିଶାନ୍ ଏବଂ ଜୁଆଙ୍ଗ । ସୂଚନାଯୋଗ୍ୟଯେ, ଅଙ୍ଗନବାଡି କେନ୍ଦ୍ରମାନଙ୍କରେ ଏହି ମାତୃଭାଷା ଭିତ୍ତିକ ପ୍ରାକ୍ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବାରେ ଓଡିଶା ଦେଶରେ ପ୍ରଥମ । ଜାତୀୟ ଶିକ୍ଷାନୀତି ୨୦୨୦ରେ ମଧ୍ୟ ଏହି ବହୁଭାଷୀ ପ୍ରାକ୍ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।
ସେହିପରି ଗରିବ ବାପା, ମା’ଙ୍କ ଉପରୁ ଝିଅ ବାହାଘରର ବୋଝ ହାଲକା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ ହେବାକୁ ଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଆମ ରାଜ୍ୟରେ ପୂର୍ବରୁ ଏକ୍ଷେତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମ ବିବାହ, ଏସସି ଓ ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଇଣ୍ଟରକାଷ୍ଟ ମ୍ୟାରେଜ୍ କ୍ଷେତ୍ରରେ ଏବଂ ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ସହାୟତା କାର୍ଯ୍ୟକ୍ରମରେ କନ୍ୟା ବିବାହ ପାଇଁ ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନାରେ ବିଧବା ଝିଅମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥିସହିତ ସରକାରୀ ସ୍ତରରେ ଝିଅ ପାଇଁ ଉପହାର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଏହି ବିବାହକୁ ସାମୂହିକ ସ୍ତରରେ ଆୟୋଜନ କରିବା ପାଇଁ ମଧ୍ୟ ସେ କହିଥିଲେ । ଯଥାଶୀଘ୍ର ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରି ଏହି ଯୋଜନାର ଶୁଭାରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ଦାୟିତ୍ୱ ଦେଇଥିଲେ । ସୂଚନାଯୋଗ୍ୟଯେ, ଚଳିତ ବର୍ଷ ଏହି ଯୋଜନାରେ ୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଏସସି ଏସଟି ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜିବ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।