ପରୀକ୍ଷା ଦେଲେ ଫେରିପାଇବେ ଫି’

ପରୀକ୍ଷା ଦେଲେ ଫେରିପାଇବେ ଫି’

ଭୁବନେଶ୍ୱର :ନିଯୁକ୍ତି ପରୀକ୍ଷାରେ ବାଧ୍ୟକ ସାଜିବନି ଅର୍ଥ। ଅନ୍ୟମାନଙ୍କ ଭଳି ଗରିବ ଶ୍ରେଣୀର ପିଲାମାନେ ମଧ୍ୟ ସମସ୍ତ ନିଯୁକ୍ତି ପରୀକ୍ଷା ଦେଇପାରିବେ। ଏଥିପାଇଁ ରାଜ୍ୟ ସରକାର ଫି’ ଛାଡ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି’ ଛାଡ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ଓଡିଶା ପବ୍ଲିକ ସର୍ଭିସ କମିଶନ, ଓଡିଶା ଷ୍ଟାଫ୍‌ ସିଲେକଶନ କମିଶନ ଏବଂ ଓଡିଶା ସବ୍‌-ଅର୍ଡିନେଟ ଷ୍ଟାଫ୍‌ ସିଲେକ୍ସନ କମିଶନଙ୍କୁ ସାଧାରଣ ପ୍ରଶାସନର ଅତିରିକ୍ତ ସଚିବ ସାଗରିକା ହୋତା ଚିଠି ଲେଖିଛନ୍ତି। ଲକ୍ଷ ଲକ୍ଷ ପିଲା ସରକାରୀ ଚାକିରି କରିବା ଆଶାରେ ବିଭିନ୍ନ ନିଯୁକ୍ତି ପରୀକ୍ଷା ଦେଉଛନ୍ତି। ହେଲେ ଅଧିକାଂଶ ପିଲା ଆବେଦନ କରି ପରୀକ୍ଷା ଦେଉନାହାନ୍ତି। ସେହିପରି ଅର୍ଥାଭାବ ଯୋଗୁ ବହୁ ପିଲା ନିଯୁକ୍ତି ପରୀକ୍ଷା ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ତେଣୁ ଆବେଦନ କରି ପରୀକ୍ଷା ଦେଉ ନ ଥିବା ପିଲା ଓ ଫି’ ପାଇଁ ଆବେଦନ କରିପାରୁ ନ ଥିବା ପିଲାଙ୍କୁ ଉତ୍ସାହିତ କରିବାକୁ ରାଜ୍ୟ ସରକାର ଏଭଳି ଏକ ନୂଆ ଘୋଷଣା କରିଛନ୍ତି। ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିବେ ସେମାନଙ୍କୁ ପରୀକ୍ଷା ଫି’ ଫେରାଇ ଦିଆଯିବ। କିନ୍ତୁ ପରୀକ୍ଷାକୁ ଗୁରୁତ୍ୱର ସହ ନ ନେଇ ପରୀକ୍ଷା ଦେଇ ନ ଥିଲେ ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ, ଅର୍ଥାତ୍‌ ସେମାନେ ଫି’ ଫେରିପାଇପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି।