ଏବେବି ୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର : ମୌସୁମୀ ସମୟରେ ଜୁନ୍ ୨୯ ସୁଦ୍ଧା ସାରା ରାଜ୍ୟରେ ହାରାହାରି ୫୨୬.୪ ମିମି ବର୍ଷା ହୋଇଥାଏ । ଏବର୍ଷ କିନ୍ତୁ ତାହା ୫୯୭ ମିମି ହୋଇଛି । ଅର୍ଥାତ୍ ସ୍ୱାଭାବିକ ଠାରୁ ୧୩% ଅଧିକ ବର୍ଷା ହୋଇଛି । ଓଡ଼ିଶାର ୨୬ ଜିଲ୍ଲାରେ ସ୍ୱାଭାବିକ ବା ତା’ଠାରୁ ଅଧିକ ବର୍ଷା ହୋଇଥିଲେ ବି ଗଞ୍ଜାମ, ଗଜପତି, ପୁରୀ ଓ କଳାହାଣ୍ଡିରେ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗର ତଥ୍ୟରୁ ଜଣାପଡ଼ିଛି ।
ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, କନ୍ଧମାଳ, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ସ୍ୱାଭାବିକ ବର୍ଷା ହୋଇଛି । ଯେତେବେଳେକି କୋରାପୁଟ, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଅପରପକ୍ଷରେ ସୁନ୍ଦରଗଡ଼ରେ ସ୍ୱାଭାବିକ ଠାରୁ ଅତି ଅଧିକ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି ।
ଅପରପକ୍ଷରେ ଆସନ୍ତା ଅଗଷ୍ଟ ୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ପବନ ବହିବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ବର୍ଷା କମିଯାଇଥିବାରୁ ରାଜ୍ୟର ପ୍ରମୁଖ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ନିମାପଡ଼ା ଠାରେ କୁଶଭଦ୍ରା ନଦୀ, ଇନ୍ଦୁପୁରରେ ବ୍ରାହ୍ମଣୀ ନଦୀ, ଜାମସେଦପୁରରେ ସୁବର୍ଣ୍ଣରେଖା ନଦୀ ବଢୁଥିବା ଲକ୍ଷ୍ୟ କରାଯାଉଛି । କିନ୍ତୁ ବାକି ସବୁ ନଦୀର ଜଳସ୍ତର ବିଭିନ୍ନ ସ୍ଥାନରେ ଖସୁଛି ଅଥବା ସ୍ଥିର ରହିଥିବା ଦେଖିବାକୁ ମିଳିଛି ।