ସିମ୍ ବନ୍ଦ ଥିଲେ ଟ୍ରାଞ୍ଜାକ୍ସନ୍ ବନ୍ଦ: ନୂଆ ୟୁପିଆଇ ନିୟମ

ଆଜିଠୁ ୟୁପିଆଇ ଟ୍ରାଞ୍ଜାକ୍ସନ୍ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ବର୍ତ୍ତମାନ ୟୁପିଆଇ ପେମେଣ୍ଟ ଏତେ ସାଧାରଣ କଥା ହୋଇଗଲାଣି ଯେ, ପାନଦୋକାନଠୁ ଫିଲ୍ମ ହଲ୍, କ୍ୟାବଠୁ ଆରମ୍ଭ କରି ହାଟ-ବଜାର ସବୁଠି କ୍ୟାସଲେସ୍ ଟ୍ରାଞ୍ଜାକ୍ସନ ବା ୟୁପିଆଇର ଆବଶ୍ୟକତା ବଢ଼ିବାରେ ଲାଗିଛି । ଯଦି ଆପଣ ବି ୟୁପିଆଇ ପେମେଣ୍ଟ କରୁଛନ୍ତି ତା’ହେଲେ ୟୁପିଆଇ ପେମେଣ୍ଟ କ୍ଷେତ୍ରରେ ଆଜିଠୁ ବଡ଼ ପରିବର୍ତ୍ତନ ହେବାକୁଯାଉଛି । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ବା ଏନପିସିଆଇ ପକ୍ଷରୁ ଏପ୍ରିଲ୍ ଆରମ୍ଭରୁ କିଛି ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ରୋକ୍ ଲଗାଇବାକୁ ଯାଉଛି । ଏଣିକି ମୋବାଇଲ ନମ୍ବର ବନ୍ଦ ଥିଲେ ଟ୍ରାଞ୍ଜାକ୍ସନ୍ ହୋଇପାରିବନି ବୋଲି ସୂଚନା ଦିଆଯାଇଛି । ଏନପିସିଆଇ ନିର୍ଦ୍ଦେଶ ଅନୁଯାୟୀ, ଯଦି ଆପଣଙ୍କର ୟୁପିଆଇ ଆଇଡି ସହ ଜଡ଼ିତ ମୋବାଇଲ ନମ୍ବର ଦୀର୍ଘଦିନ ଧରି ବନ୍ଦ ରହିଛି, ତେବେ ଆପଣଙ୍କ UPI ID ବି ଇନ୍ ଆକ୍ଟିଭ୍ ହୋଇଯିବ । ଅର୍ଥାତ ଆପଣଙ୍କ UPI ID ରୁ କୌଣସି ଟ୍ରାଞ୍ଜାକ୍ସନ ହେବ ନାହିଁ । ଏଣିକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ରେଜିଷ୍ଟର୍ ମୋବାଇଲ ନମ୍ବରକୁ ଚାଲୁ ରଖିବାକୁ ପଡ଼ିବ । ନଚେତ୍ ଆପଣଙ୍କ ୟୁପିଆଇ କାମ କରିବ ନାହିଁ । ଟେଲିକମ୍ ବିଭାଗର ନିୟମ ଅନୁଯାୟୀ ଯଦି କୌଣସି ମୋବାଇଲ୍ ୟୁଜର୍ସ ୯୦ ଦିନ ଯାଏଁ ସିମ୍କୁ ବନ୍ଦ ରଖୁଛନ୍ତି, ତେବେ ସେହି ନମ୍ବରକୁ ସମ୍ପୂର୍ଣ୍ଣ ଭାବେ ଡିଆକ୍ଟିଭ୍ କରି ଆଉ ଜଣଙ୍କୁ ଦିଆଯିବ । ଏନପିସିଆଇ ନୂଆ ନିୟମାନୁଯାୟୀ ୟୁଜର୍ସଙ୍କ ବ୍ୟାଙ୍କ ସହ ଜଡ଼ିତ ରେଜିଷ୍ଟର ମୋବାଇଲ ନମ୍ବର ୟୁପିଆଇ ଆଇଡେଣ୍ଟିଟି ଭାବେ କାମ କରିବ । ଯାହା ଦ୍ୱାରା ୟୁଜର୍ସ ୟୁପିଆଇର ବିଭିନ୍ନ ଆପ୍ ବ୍ୟବହାର କରିପାରିବେ । ଅନ୍ୟପକ୍ଷରେ ସଂଶୋଧିତ ମୋବାଇଲ୍ ନମ୍ବରଗୁଡ଼ିକ ଦ୍ୱାରା ହେଉଥିବା ତ୍ରୁଟିକୁ ଏଡାଇବା ପାଇଁ ବ୍ୟାଙ୍କ ଏବଂ UPI ଆପ୍ଲିକେସନ୍ଗୁଡ଼ିକୁ ପ୍ରତି ସପ୍ତାହରେ ସେମାନଙ୍କର ମୋବାଇଲ୍ ନମ୍ବର ରେକର୍ଡଗୁଡ଼ିକୁ ଅପଡେଟ୍ କରିବାକୁ ପଡିବ ।