କାଲିଠାରୁ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା

ଭୁବନେଶ୍ୱର : ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟ ଔଷଧୀୟ ଇଦ୍ଭିଦ ପରିଷଦ ଦ୍ୱାରା ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆସନ୍ତା କାଲିଠାରୁ ୧୬ତାରିଖ ପର୍ଯ୍ୟନ୍ତ ୟୁନିଟ-୩ ଇଡ଼କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ । ୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ମେଳା ବନ ସୁରକ୍ଷା ସମିତି ସଦସ୍ୟ, ଚାଷୀ, ବୈଦ୍ୟ, ଔଷଧ ଉଦ୍ଭିଦ ସଂଗ୍ରାହକ, ବ୍ୟବସାୟୀ, ଗବେଷକ, ଛାତ୍ରଛାତ୍ରୀ, ବନ ଅଧିକାରୀ, ଏନଜିଓ, ଏସଏଚଡି ଓ ଜନସାଧାରଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ ମଞ୍ଚ ଭାବରେ ପରିଚିତ । ଚଳିତ ବର୍ଷ ମେଳାରେ ୧୩୦ଟି ଷ୍ଟଲ୍‌ ଖୋଲାଯିବ ଓ ଓଡ଼ିଶା ଓ ଅନ୍ୟ ରାଜ୍ୟରୁ ମୋଟ ୨୬୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେବେ । ଏଥି ସହିତ ରାଇରଙ୍ଗପୁର, କେନ୍ଦୁଝର ଓ ମାଲକାନଗିରି ରେ ଚଳିତ ବର୍ଷ କ୍ଷେତ୍ରୀୟ କଳିଙ୍ଗ ହର୍ବାଲ ମେଳା ମଧ୍ୟ ଆୟୋଜିତ ହେବ । ଯାହା ସ୍ଥାନୀୟ ଡିଏଫଓ ମାନଙ୍କ ଦ୍ୱାରା ପରିଚାଳିତ ହେବ । ମେଳା ସମୟରେ ବିଭିନ୍ନ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ । ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ସହିତ ସରକାରୀ ଆୟୁର୍ବେଦିକ ଓ ହୋମିଓପାଥ୍‌ ଡାକ୍ତରମାନଙ୍କ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍‌ କୁଇଜ୍‌ ଆୟୋଜିତ ହେବ ବୋଲି  ଓଡ଼ିଶା ରାଜ୍ୟ ଔଷଧୀୟ ଉଦ୍ଭିଦ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।