କାଳବୈଶାଖୀ : ମେ’ ୧ ପର୍ଯ୍ୟନ୍ତ ଏସବୁ ଜିଲାରେ କାଳାବୈଶାଖୀ ଭୟ

ଭୁବନେଶ୍ୱର : ରାଜ୍ୟରେ ଦେଖିବାକୁ ମିଳୁଛି ଖରାଗୁଳଗୁଳି ସହ କାଳବୈଶାଖୀ ପ୍ରଭାବ । ରବିବାର ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ କାଳାବୈଶାଖୀ ଭୟ ରହିଛି । ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଆଦି ଜିଲାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ସହ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ଜଗତ୍ସିଂହପୁର ଆଦି ଜିଲାରେ ପ୍ରବଳ ଗୁଳୁଗୁଳି ଆଶଙ୍କା ରହିଛି । ଅପରାହ୍ନ ଓ ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶା, ସୁନ୍ଦରଗଡ଼, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି । କେତେକ ଜିଲାରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାକୁ ଥିବାବେଳେ ଅନ୍ୟ କିଛି ଜିଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ସମ୍ପୃକ୍ତ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି । ମେ’ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ପ୍ରଭାବ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।