କାଶ୍ମୀରରେ ଟଳିଲେ ୩ ଆତଙ୍କୀ
ାା ଏଜେନ୍ସି ।ା ଶ୍ରୀନଗର: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଭାରତୀୟ ସେନାର ସ୍ପେଶାଲ ଫୋର୍ସ ଓ ଜମ୍ମୁ-କାଶ୍ମୀର ପୁଲିସ୍ର ଅପରେସନରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଉଧମପୁରରର ବସନ୍ତଗଡ-କଠୁଆ ସୀମାରେ ଚାଲିଥିବା ଅପରେସନରେ ଏପରି ସଫଳତା ମିଳିଛି । ଏବେ ବି ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ, ଉଧାମପୁର ଜିଲ୍ଲା ବସନ୍ତଗଡ-କଠୁଆ ସୀମାନ୍ତରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଭାରତୀୟ ସେନାର ପାରା ୧ ଟ୍ରୁପର, ୨୨ ଗରୱାଲ ରାଇଫଲ୍ସ ଓ ଜମ୍ମୁ-କାଶ୍ମୀର ପୁଲିସ୍ର ଏସଓଜି କମାଣ୍ଡମାନେ ସେଠାରେ ପହଞ୍ଚିଥିଲେ । ସେମାନେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରୁଥିବା ବେଳେ ଆତଙ୍କବାଦୀମାନେ ଗୁଳି ମାଡ ଆରମ୍ଭ କରି ଦେଇଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା । ଫଳରେ ଦୁଇ ପକ୍ଷ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଯାଇଥିଲା । ଦୀର୍ଘ ସମୟ ଗୁଳି ବିନିମୟ ପରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏବେ ବି ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଗୁଳି ବିନିୟମ ପୂର୍ବରୁ ଜମ୍ମୁର ଅଖନୁର ସେକ୍ଟର ସ୍ଥିତ ଏଲଓସିରେ ପାକିସ୍ତାନ ରେଞ୍ଜର୍ସ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲେ । ପାକିସ୍ତାନ ରେଞ୍ଜର୍ସଙ୍କ ଗୁଳି ମାଡରେ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି । ଭାରତୀୟ ସେନା ପକ୍ଷରୁ ମଧ୍ୟ ପାକିସ୍ତାନର ଏହି ହରକତର ଦୃଢ ଜବାବ ଦିଆଯାଇଛି ।