କାହା ଅବହେଳା ପାଇଁ ଜୀବନ ଗଲା: ରବିବାର ଉତ୍ସବ ପାଳନ ପ୍ରସ୍ତାବ ଦେଇଥିଲା ପୁଲିସ
ରବିବାର ଉତ୍ସବ ପାଳନ ପ୍ରସ୍ତାବ ଦେଇଥିଲା ପୁଲିସ୍ ାା ଏଜେନ୍ସି ।ା ବେଙ୍ଗାଳୁରୁ, ୫ା୬: ବେଙ୍ଗାଲୁରୁ ଦଳାଚକଟା ଘଟଣାକୁ ନେଇ ଏବେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ଆଇପିଏଲ୍ ଫାଇନାଲ୍ ଦିନ ତଥା ଆର୍ସିବି ବିଜୟୀ ହେବା ପରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଏଣୁ ସୁରକ୍ଷା ଦୃଷ୍ଟିରୁ ଏହି ବିଜୟ ଉତ୍ସବକୁ ଯେକୌଣସି ଛୁଟି ଦିନରେ ଅର୍ଥାତ ରବିବାର କରାଯିବାକୁ ପ୍ରସ୍ତାବ ଦେଇଥିଲା ରାଜ୍ୟ ପୁଲିସ୍ । କାରଣ ଏହି ଦିନ ରାସ୍ତାଘାଟ ଫାଙ୍କା ରହିବା ସମେତ ଟ୍ରାଫିକ୍ ଭିଡ଼ ମଧ୍ୟ ସାମାନ୍ୟ ରହିଥା’ନ୍ତା । ଆଉ ବାହାର ରାଜ୍ୟ ତଥା ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ଭିଡ଼ କମ୍ ରହିଥା’ନ୍ତା । ଯାହାଫଳରେ ଭିଡ଼କୁ ନିୟନ୍ତ୍ରଣ କରିବା ସହଜ ହୋଇଥା’ନ୍ତା । କିନ୍ତୁ କର୍ଣ୍ଣାଟକ ସରକାର ଏହାକୁ ଗ୍ରହଣ କରି ନ ଥିଲେ । ଫଳରେ ଆଜି ୧୧ଜଣଙ୍କ ମୃତୁ୍ୟ ଭଳି ବଡ଼ ଅଘଟଣ ଘଟିଲା ବୋଲି ଜଣେ ପୁଲିସ୍ ଅଧିକାରୀ କହିଛନ୍ତି । ସେପଟେ ଗୃହମନ୍ତ୍ରୀ ଡ. ଜି ପରମେଶ୍ୱର ଏ ଅଘଟଣରେ ସରକାରଙ୍କ ଦୁର୍ବଳତାକୁ ସ୍ୱୀକାର କରିବା ସହ ପୂର୍ବ ନିର୍ଦ୍ଧାରିତ ଯୋଜନା ହୋଇ ନ ଥିବାରୁ ଏ ଘଟଣା ଘଟିଥିବା ସ୍ୱୀକାର କରିଛନ୍ତି । ଆର୍ସିବି ଓ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ (କେଏସ୍ସିଏ)ର ଅନୁରୋଧ ଯଦି ଆମେ ରଖି ନ ଥାନ୍ତୁ ହୁଏତ ଏ ଅଘଟଣ ଟଳି ଯାଇଥା’ନ୍ତା ବୋଲି କହିଛନ୍ତି । ଯେହେତୁ ଏହି ଉତ୍ସବ ପାଳନ ରାଜ୍ୟ ସରକାରଙ୍କ ଏକ ଅଂଶ ବିଶେଷ; ତେଣୁ ଆରସିବି ଓ କେଏସ୍ସିଏ ଏହି ବିଜୟ ଉତ୍ସବ ଆୟୋଜନ କରିଥିବାରୁ ଏହାକୁ ଅଣଦେଖା କରାଯାଇ ନ ଥିଲା । ସେହିପରି ରାଜ୍ୟ ବିଜେପି ସଭାପତି ବିୱାଇ ବିଜୟେନ୍ଦ୍ର ଘଟଣାକୁ ନେଇ ସରକାରଙ୍କୁ ଦାୟୀ କରି ପ୍ରଶ୍ନବାଣ ମାରିଛନ୍ତି । ଫାଇନାଲ୍ ପରେ ତୁରନ୍ତ ଭାବେ ବିଜୟ ଉତ୍ସବ ପାଳନର ଆବଶ୍ୟକତା କ’ଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି । ଅତି ସହଜରେ ଏହି ଦିନକୁ ୩ରୁ ୭ ଦିନ ପର୍ଯ୍ୟନ୍ତ ଘୁଞ୍ଚାଯାଇ ପାରିଥା’ନ୍ତା । ନିଶ୍ଚିତରୂପେ ଏହା ବେଙ୍ଗାଲୁରୁ ସରକାରଙ୍କ ଅବହେଳା ବୋଲି ସେ ଅଭିଯୋଗ କରିଛନ୍ତି ।