ଶ୍ରୀମନ୍ଦିରରେ ଭିଡ଼: ୧୦ ଅସୁସ୍ଥ

ପୁରୀ: ଆଉ ଦିନକ ପରେ ଆସିବ ନୂଆ ବର୍ଷ । ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି। ତେବେ ଆଜିଠୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ସୋମବାର ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି । ତେବେ ବାହାରକାଠ ନିକଟରେ ଠେଲାପେଲା ଯୋଗୁଁ ୧୦ ଜଣ ଭକ୍ତ ଅସୁସ୍ଥ ହୋଇପଡ଼ିଥିବା ଜଣାଯାଇଛି । ସମ୍ପୃକ୍ତ ୧୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସଦ୍ୟତମ ସୂଚନା ମୁତାବକ, ୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିହେବ।ସାଧାରଣ ଭକ୍ତ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ମନା। କେବଳ ପ୍ରସ୍ଥାନ କରିବେ। ତେଣେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଦୁଇ କମାଣ୍ଡାଣ୍ଟ ରାଙ୍କର ଅଧିକାରୀଙ୍କ ସମେତ ୧୦ ଅତିରିକ୍ତ ଏସ୍ପି, ୩୩ ଡିଏସ୍ପିଙ୍କ ସମେତ ୬୨ ଇନ୍ସପେକ୍ଟର, ୨୪୫ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୩୦ ହାବିଲଦାର, ୨୯୦ ଜଣ କନଷ୍ଟେବଳ ମୁତୟନ ରହିବେ। ଶ୍ରୀମନ୍ଦିର ପରିସରରେ ୨ ଭାଗରେ ପୁଲିସ ମୁତୟନ ହୋଇଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍ ମୁତୟନ ରହିବେ। ବିଭିନ୍ନ ସ୍ଥାନରେ ପୁଲିସ ତରଫରୁ ନାକାବନ୍ଦି କରାଯାଉଛି। ଏହାସହ ସମୁଦ୍ର କୂଳରେ ସ୍ୱତନ୍ତ୍ର ଆଉଟ ପୋଷ୍ଟ ରହିବ।