ଆରସିବି, କେଏସ୍ସିଏ ନାଁରେ ମାମଲା
ବେଙ୍ଗାଲୁରୁ : ବେଙ୍ଗାଲୁରୁ ଦଳାଚକଟା ଘଟଣାକୁ ନେଇ ଆର୍ସିବି, କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ (କେସ୍ସିଏସ୍), ଡିଏନ୍ଏ ନେଟୱର୍କ ନାଁରେ ମାମଲା ରୁଜୁ ହୋଇଛି । ଏହାସହ ଏହି ବିଜୟ ଉତ୍ସବ ସହିତ ଜଡ଼ିତ ଅନ୍ୟ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ନାଁରେ ମାମଲା ରୁଜୁ ହୋଇଛି । ବେଙ୍ଗାଲୁରୁର କୁବନ୍ ପାର୍କ ପୁଲିସ୍ ନିଜଆଡ଼ୁ ଏହି ମାମଲା ରୁଜୁ କରିଥିବା ସ୍ପଷ୍ଟ କରିଛନ୍ତି ସେଣ୍ଟ୍ରାଲ ଡିସିପି ଶେଖର ଏଚ୍ ଟେକାନ୍ନାଭାର । ସୁରକ୍ଷାକୁ ଅବହେଳା କରି ଅପରାଧିକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି । ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଧାରା ୧୦୫, ୧୨୫ (୧୨), ୧୪୨, ୧୨୧, ୧୯୦ ଅନୁଯାୟୀ ମାମଲା ରୁଜୁ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସ୍ ଉତ୍ସବକୁ ଯେକୌଣସି ଛୁଟିଦିନରେ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ କର୍ଣ୍ଣାଟକ ସରକାର ଏହାକୁ ଅସ୍ୱୀକାର କରିଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ କହିବାନୁସାରେ ଗତ ୩ ଏବଂ ୪ ତାରିଖ ଭୋର୍ ୪ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ପୁଲିସ୍ ଅଧିକାରୀ ଓ କର୍ମଚାରୀମାନେ ସୁରକ୍ଷା ପାଇଁ ଡୁ୍ୟଟିରେ ଥିଲେ । ଫଳରେ ସୁରକ୍ଷାକର୍ମୀଙ୍କୁ ସାମାନ୍ୟ ଆରାମର ଆବଶ୍ୟକତା ଥିଲା । ଏଣୁ ତୁରନ୍ତ ବିଜୟ ଉତ୍ସବ ପାଳନ ନ କରିବାକୁ ପୁଲିସ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ସିଦ୍ଧରମେୟା ସରକାର ଏହାକୁ ଅଣଦେଖା କରିଥିଲେ ।