କୃଷି କ୍ଷେତ୍ର ପାଇଁ ୩୫,୪୪୦ କୋଟିର ଯୋଜନା : ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୃଷି କ୍ଷେତ୍ର ପାଇଁ ୩୫,୪୪୦ କୋଟିର ଯୋଜନା : ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

  • ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ପାଇଁ ୨୪ ହଜାର କୋଟି
  • ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନ ପାଇଁ ୧୧୪୪୦ କୋଟି
  • କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡା ଜିଲ୍ଲାରେ ଆଜିଠୁ ପିଏମ୍‌ ଧନ-ଧାନ୍ୟ କୃଷି ଯୋଜନା ଆରମ୍ଭ
  • ବ୍ଳୁ ରିଭୋଲ୍ୟୁସନରେ ଓଡ଼ିଶା ହେବ ଅଗ୍ରଣୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କୃଷି ପ୍ରଗତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ଯୋଜନାର ଶୁଭାରମ୍ଭ କରିଛନ୍ତି । ୨୪ ହଜାର କୋଟି ଟଙ୍କା ବ୍ୟୟରେ ପିଏମ ଧନ ଧାନ୍ୟ କୃଷି ଯୋଜନା ଓ ୧୧ ହଜାର ୪୪୦ କୋଟି ବ୍ୟୟରେ ଡାଲି ଆତ୍ମନିର୍ଭରଶୀଳତା ମିସନର ଶୁଭାରମ୍ଭ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦେଶର ୧୦୦ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି । ଏଥିସହିତ ରାଜ୍ୟର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡା ଜିଲ୍ଲାରେ ମଧ୍‌ଯ ଆଜି ଠାରୁ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ କରାଯାଇଛି। ସମ୍ୱଲପୁରର ବସନ୍ତପୁର ଠାରେ ୧୦୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଏବଂ ଭୁବନେଶ୍ୱରର ପାଣ୍ଡରା ଠାରେ ପ୍ରାୟ ୬୦ କୋଟି ଟଙ୍କାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । 

ଅପରପକ୍ଷରେ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ସବୁ ଯୋଜନାଗୁଡିକ କୃଷିକ୍ଷେତ୍ରରେ କୃଷକମାନଙ୍କୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ । ସେ କହିଥିଲେଯେ, ଆମ ସରକାର ୨୦୨୫-୨୬ ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ୩୭ ହଜାର ୮୩୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି । ସବୁଠାରୁ ବଡ ଯୋଜନା ହେଉଛି ସମୃଦ୍ଧ କୃଷକ ଯୋଜନା ଯାହା ଫଳରେ ଓଡିଶାର ଚାଷୀମାନେ ପ୍ରତି କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ ପାଇଁ କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଏବଂ ନୂଆପଡାକୁ ଚୟନ କରାଯାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
ହୀରାକୁଦରେ ଏହି ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ୯୫.୪୭ ଏକର ସରକାରୀ ଜମିରେ ନିର୍ମିତ ଏକ ସମୟୋପଯୋଗୀ ପଦକ୍ଷେପ । ଏଥିରେ ୧୦୦ କୋଟି ଟଙ୍କା ବିନିଯୋଗ ହେବ । କେନ୍ଦ୍ର ସରକାର ୬୦ କୋଟି ଓ ରାଜ୍ୟ ସରକାର ୪୦ କୋଟି ଟଙ୍କା ବିନିଯୋଗ କରିବେ । ଏହା ହେବ ପୂର୍ବ ଭାରତର ପ୍ରଥମ ଆକ୍ୱା ପାର୍କ ପ୍ରକଳ୍ପ । ପ୍ରକଳ୍ପର କାର୍ଯ୍ୟ ୨୦୨୭ ଜାନୁଆରୀ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ । 

ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେଯେ, ଆଜି ଆମେ ଧାନରେ ଆତ୍ମନିର୍ଭର ହୋଇସାରିଛୁ । କିନ୍ତୁ ଡାଲି ଓ ତୈଳବୀଜରେ ଆତ୍ମନିର୍ଭର ହେବାର ସମୟ ଏବେ ଉପନୀତ । ଏଥିସହିତ ନୀଳ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ  । ଏହା ଚାଷୀଙ୍କ ଆୟକୁ ବହୁଗୁଣିତ କରିବା ସହିତ ସେମାନଙ୍କୁ ସଶକ୍ତ କରିବ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଏମସି ମେୟର ସୁଲୋଚନା ଦାସ, ଓୟୁଏଟି କୁଳପତି ଡଃ ପ୍ରଭାତ କୁମାର ରାଉଳ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ବିଏମସି କମିଶନର ଚଞ୍ଚଳ ରାଣା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ମହମ୍ମଦ ସାଦିକ୍‌  ଆଲାମ ଧନ୍ୟବାଦ ଦେଇଥିଲେ ।