ଶ୍ରୀମନ୍ଦିର ଏବେ ରେଡ୍ ଜୋନ୍ : ଡ୍ରୋନ ଉଡ଼ିଲେ ଦୃଢ କାର୍ଯ୍ୟାନୁଷ୍ଠାନ

ପୁରୀ : ଡ଼ାଇରେକ୍ଟର ଜେନେରାଲ ସିଭିଲ ଆଭିଏସନ ନକ୍ସାରେ ଶ୍ରୀମନ୍ଦିର ରେଡ଼ଜୋନ୍ ଭାବରେ ସ୍ଥାନ ପାଇଛି । ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିଜେପି ସରକାରଙ୍କର ଏହା ହେଉଛି ଐତିହାସିକ ପଦକ୍ଷେପ । ଡିଜିସିଏ ଶ୍ରୀଜଗନ୍ନାଥ ମନ୍ଦିରକୁ ରେଡ଼ ଜୋନ୍ ଭାବେ ଘୋଷଣା କରିଛି । ଏହି ରେଡ଼ଜୋନ୍ ଅନୁଯାୟୀ ସମୁଦ୍ର ପତନ ଠାରୁ ୫୦ ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ କୌଣସି ଉଡାଣ ହୋଇପାରିବ ନାହିଁ । ପୋଲିସ ଚାହିଁଲେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରିବ । ତେବେ ରେଡ଼ ଜୋନ୍ ପରିବର୍ତ୍ତେ ଅନ୍ୟ ସ୍ଥାନ ଭଳି ପୁରୀ ଶ୍ରୀମନ୍ଦିରକୁ ନୋ ଫ୍ଲାଇଂ ଜୋନ୍ ଭାବେ ଚିହ୍ନଟ କରିବାକୁ ଭଏସ ଅଫ କମନମ୍ୟାନ ପକ୍ଷରୁ ଦାବି ହୋଇଛି ।
ଗତକାଲି ଶ୍ରୀମନ୍ଦିର ଉପରେ ଡେ଼୍ରାନ୍ ଉଡୁଥିବା ବେଳେ ପୁରୀ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଡେ଼୍ରାନ୍ ଚଳାଉଥିବା ଅପରେଟରକୁ ଧରିବାରେ ପୁରୀ ପୋଲିସ ସଫଳ ହୋଇଥିଲା । ଜଗନ୍ନାଥ ମନ୍ଦିରକୁ ରେଡ଼ ଜୋନ୍ ଭାବେ ଘୋଷଣା କରାଯିବା ପରେ କେବଳ ଆଣ୍ଟି ଡେ଼୍ରାନ୍ ଡ଼ିଭାଇସ ଲାଗିଲେ ଉଡୁଥିବା ଡେ଼୍ରାନ୍କୁ କାବୁ କରାଯାଇପାରିବ । ଏ ସଂକ୍ରାନ୍ତରେ ପୁରୀ ଏସ୍ପି ପ୍ରକାଶ କରିଛନ୍ତିଯେ, ଅତୀତରେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ତଥା ପରିକ୍ରମା ମାର୍ଗରେ ଡେ଼୍ରାନ୍ କ୍ୟାମେରା ଘୁରି ବୁଲୁଥିବାର ଏକାଧିକ ନଜିର ରହିଛି । ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶରେ ଡେ଼୍ରାନ୍ ବ୍ୟବହାର କରି ଆକ୍ରମଣ ଘଟଣା ଘଟୁଥିବାରୁ ଶ୍ରୀମନ୍ଦିର ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା । ଏତଦ୍ବ୍ୟତୀତ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଉପରେ ଅଧିକ କଟକଣା ରହିଥାଏ ।୨୦୧୪ମସିହାରୁ ଭଏସ ଅଫ୍ କମନ ମ୍ୟାନ୍ ଅନୁଷ୍ଠାନ ଶ୍ରୀମନ୍ଦିର ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ଦାବି କରି ଆସୁଥିଲା । ଡିଜିସିଏର ମାନଦଣ୍ଡ ଅନୁଯାୟୀ ସର୍ଭେ ସହ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ଦସ୍ତାବିଜ୍ ସହ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଥିଲା । ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଶେଷରେ ଡିଜିସିଏ ଶ୍ରୀମନ୍ଦିରକୁ ରେଡ଼ ଜୋନ୍ ଘୋଷଣା କରିଛି । ଏହାଦ୍ୱାରା କୌଣସି ଉଡ଼ାଣ ହୋଇପାରିବ ନାହିଁ । ଯଦି କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ଏହାର ଉଲ୍ଲଂଘନ କରନ୍ତି ତେବେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ବୈଷୟିକ ଓ ନିଜସ୍ୱ ଉଦ୍ୟମରେ ପୋଲିସ ତୀକ୍ଷ୍ଣ ନଜର ରଖିବା ସହ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣକୁ ପ୍ରତିହତ କରିପାରିବ । ସେହିଭଳି ଆଣ୍ଟି ଡେ଼୍ରାନ୍ ସିଷ୍ଟମ ଟେକ୍ନୋଲୋଜି ବ୍ୟବହାର କରି ଡେ଼୍ରାନ୍ ଗୁଡ଼ିକୁ ଖସାଇ ଦିଆଯାଇପାରିବ।