କେନ୍ଦ୍ର ପରିବହନ ମନ୍ତ୍ରାଳୟ ସଚିବଙ୍କୁ ନୋଟିସ୍ : କାହିଁକି ବିଳମ୍ବ ‘ଦୁର୍ଘଟଣା ପୀଡ଼ିତଙ୍କୁ ଅର୍ଥବିହୀନ ସେବା’ ଯୋଜନା
ନୂଆଦିଲ୍ଲୀ: ‘ଯାନବାହନ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ ‘ଅର୍ଥବିହୀନ ସେବା ଯୋଜନା’କୁ ବ୍ୟବସ୍ଥିତ କରିବାରେ କାହିଁକି ବିଳମ୍ବ ହେଉଛି । ଗତ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଏହି ଯୋଜନାକୁ ବ୍ୟବସ୍ଥିତ କରିବାର ଶେଷ ତାରିଖ ଥିଲା । ହେଲେ ଏ ପର୍ଯ୍ୟନ୍ତ କାହିଁକି ତାହାକୁ ସୁବ୍ୟବସ୍ଥିତ କରାଯାଇ ନାହିଁ ।’ ଏପରି କହି ଆଜି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ କେନ୍ଦ୍ର ପରିବହନ ମନ୍ତ୍ରାଳୟର ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆସନ୍ତା ୨୮ ତାରିଖ ମଧ୍ୟରେ ଏହାର ଜବାବ ରଖିବାକୁ ନୋଟିସ୍ରେ ଉଲ୍ଲେଖ କରାଯାଇଛି । ଜଷ୍ଟିସ୍ ଏସ୍ ଅଭୟ ଓକା ଏବଂ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଜାନୁଆରୀ ୮ରେ ଏ ସମ୍ପର୍କିତ ଦିଆଯାଇଥିବା ନିଦେ୍ର୍ଦଶନାମାକୁ ପାଳନ କରାଯାଇ ନଥିବାରୁ ଏହି ନୋଟିସ୍ ଜାରି କରିଛନ୍ତି । ଏହାସହ କୋର୍ଟ କହିଛନ୍ତି ଯେ, ସର୍ବୋଚ୍ଚ ଅଦାଲତଙ୍କ ନିଦେ୍ର୍ଦଶ ଅବମାନନା କରିବା ଅର୍ଥାତ୍ ଆଇନକୁ ଅପମାନ ହେବା ସହ ହିତାଧିକାରୀ ମଧ୍ୟ ଏହାର ଦଣ୍ଡ ଭୋଗୁଛନ୍ତି ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି । ଏଣୁ କେନ୍ଦ୍ର ପରିବହନ ସଚିବଙ୍କୁ ଭିଡିଓ କନ୍ଫରେନ୍ସିଂ ଯୋଗେ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ଖଣ୍ଡପୀଠ ନୋଟିସ୍ରେ ଦର୍ଶାଇଛନ୍ତି । ସେହିପରି ଯଦି ସର୍ବୋଚ୍ଚ ଅଦାଲତ କୌଣସି ନିଦେ୍ର୍ଦଶ ଦେଉଛନ୍ତି ତାହାକୁ ଜରୁରୀକାଳୀନ ଭିତ୍ତିରେ ଅନୁପାଳନ କରିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି ।
ମନ୍ତ୍ରାଳୟକୁ ଭର୍ତ୍ସନା ସ୍ୱରୂପ ଖଣ୍ଡପୀଠ କହିଛନ୍ତି ଯେ, ଏହା ହେଉଛି ଆପଣମାନଙ୍କର ନ୍ୟାୟପାଳିକା, ସେପଟେ ଯୋଜନାକୁ ସୁବ୍ୟବସ୍ଥିତ କରାଯାଉ ନ ଥିବାରୁ ଅକାଳରେ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟୁଛି । ଏହାର ମୁଖ୍ୟ କାରଣ ହେଉଛି ଠିକ୍ ସମୟରେ ସେମାନଙ୍କ ପାଖରେ ଅର୍ଥରାଶିର ଅଭାବ । ଏଣୁ ତୁରନ୍ତ ଏହି ବ୍ୟବସ୍ଥାକୁ କାହିଁକି ଅଣଦେଖା କରାଯାଇଛି ତା’ର ଉତ୍ତର ରଖିବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଦୁର୍ଘଟଣା ଜନିତ ମାମଲାର ବିଚାର ବେଳେ ସର୍ବୋଚ୍ଚ ଅଦାଲତ ଗତ ଜାନୁଆରୀ ୮ ତାରିଖରେ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିଦେ୍ର୍ଦଶ ଦେଇଥିଲେ । ଯାହାଦ୍ୱାରା ଜନସାଧାରଣ ଏହି ସୁବର୍ଣ୍ଣ ସୁଯୋଗର ଲାଭ ଉଠାଇପାରିବେ ।