ଖାଲି ପେଟରେ ଚା ପିଉଥିଲେ…

ଚା’ ଓ କଫି ଅମ୍ଳୀୟ ଅଂଶ ରହିଛି। ତେଣୁ ଖାଲିପେଟରେ ଏହାକୁ ପିଇଲେ ଶରୀରରେ ଅମ୍ଳ ଓ କ୍ଷାରର ସନ୍ତୁଳନ ବିପର୍ଯ୍ୟସ୍ତ ହୋଇପଡ଼େ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ଫଳରେ ପାକସ୍ଥଳୀ ନରମ ଥାଏ। ସକାଳୁ ଖାଲି ପେଟରେ ଚା’ ପିଇଲେ ଝିଲ୍ଲୀ ଉପରେ ପ୍ରତିକୂଳ ପ୍ରଭାବ ପଡେ ଏବଂ ଦୀର୍ଘକାଳିକ ପାକସ୍ଥଳୀ ପ୍ରଦାହ ବା କ୍ରନିକ ଗାଷ୍ଟାଇଟିସ୍ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ଅରୁଚି ହୋଇ ଭୋକ ମରିଯାଇପାରେ।
ବିଶେଷଭାବରେ ଖାଲି ପେଟରେ କଡ଼ା ଚା’ ପିଇଲେ ପାକସ୍ଥଳୀରୁ ଅମ୍ଳ କ୍ଷରଣ ବଢ଼ିଯାଏ। ଏତଦ୍ବ୍ୟତୀତ ସକାଳେ ବିଛଣା ଛାଡ଼ିବା ପରେ ପରେ ଚା’ କିମ୍ବା କଫି ପିଇଲେ ପାଟିରେ ଥିବା ଜୀବାଣୁଗୁଡ଼ିକ ଧୋଇହୋଇ ଅନ୍ତ୍ରନଳୀ ଭିତରକୁ ପ୍ରବେଶ କରିଥାଆନ୍ତି। ଚା’ରେ ରହିଥାଏ ସାମାନ୍ୟ ପରିମାଣର ନିକୋଟିନ୍, ଯାହା ଆସକ୍ତି ସୃଷ୍ଟିର କାରଣ ହୋଇପାରେ। ତେଣୁ ସକାଳେ ଖାଲିପେଟରେ ଚା’ ହେଉ କି କଫି ପିଇବା ଆଦୌ ନିରାପଦ ନୁହେଁ। ବରଂ ସକାଳୁ ଉଠି ଗିଲାସେ ପାଣି ପିଇ ସାରି ଫଳଟିଏ ଖାଇନେବା ପରେ ୧୫ ରୁ ୨୦ ମିନିଟ୍ ପରେ ଚା’ ପିଇହେବ। ଚା’ ସହ ବିସ୍କୁଟ୍ କି ସାମାନ୍ୟ ଜଳଖିଆ ଖାଇଲେ ତାହା ଅପେକ୍ଷାକୃତ ନିରାପଦ। ସକାଳେ କିଛି ଖାଇ ସାରିବା ପରେ ହିଁ ଚା’ ପିଆଯାଇପାରେ। ହେଲେ ଖାଲିପେଟରେ ଚା’ କି କଫି ପିଇବା ସ୍ବାସ୍ଥ୍ୟ ପାଇଁ ଆଦୌ ହିତକର ନୁହେଁ।