ଖୋଲିଲା ୪୯୧ ଅଙ୍ଗନବାଡି କେନ୍ଦ୍ର
ତୃଳମୂଳସ୍ତରରେ ବିକାଶର କେନ୍ଦ୍ରବିନ୍ଦୁ ଅଙ୍ଗନବାଡି : ପ୍ରଭାତୀ
ଭୁବନେଶ୍ୱର: ତୃଣମୂଳସ୍ତରର ବିକାଶର କେନ୍ଦ୍ରବିନ୍ଦୁ ହେଉଛି ଅଙ୍ଗନବାଡି । ଅଙ୍ଗନବାଡି ଭିତ୍ତିଭୂମି ବିକାଶ ଉପରେ ଫୋକସ ଦେଇ ଗ୍ରାମୀଣ ବିକାଶକୁ ସୁଦୃଢ କରିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ଆଜି ମହିଳା ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ କରକମଳରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଉପସ୍ଥିତିରେ ରାଜ୍ୟର ୪୯୧ଟି ନବନିର୍ମିତ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଅଙ୍ଗନବାଡିକୁ ସଶକ୍ତ କରି ସେଥିରେ ସ୍ୱଚ୍ଛତା, ଶୌଚାଳୟ, ପାନୀୟ ଜଳ ସୁବିଧା, ବିଦ୍ୟୁତ ସେବା, ପୁଷ୍ଟି ବଗିଚା ଆଦିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ନାଏକ ଅଙ୍ଗନବାଡି କେନ୍ଦ୍ରକୁ ବିକଶିତ ଗାଁ ବିକଶିତ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଗିରିଶ ଏସ. ଏନ, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶିକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଏହା ସହ ଆଭାଷୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ । ଏଯାବତ ଦୁଇଟି ପର୍ଯ୍ୟାୟରେ ୧୪୦୪ ଅଙ୍ଗନବାଡିକୁ ସଶକ୍ତ କରାଯାଇଛି । ସେପ୍ଟେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୯୧୩ଟି ଅଙ୍ଗନବାଡି ଓ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୪୯୧ ଅଙ୍ଗନବାଡି ଉଦଘାଟନ କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Samir Kumar Rout