ଗଡ଼ବଡ଼ କରୁଛି ଆୟାରାମ ଗୟାରାମ ଅଙ୍କ : ଯେତିକି ମିଶୁଛନ୍ତି, ସେତିକି ଛାଡୁଛନ୍ତି
ଭୁବନେଶ୍ୱର/ନୂଆପଡ଼ା : ନିକଟରେ ହୋଇଥିବା ଏକ ମିଶ୍ରଣ ପର୍ବରେ ବିଜେପି ଦାବି କଲା, ବିଜେଡ଼ିର ୫୫ ସରପଞ୍ଚ ଶଙ୍ଖ ଛାଡ଼ି ଫୁଲ ଧରିଲେ । ହେଲେ ସେହିଦିନ ମିଶ୍ରଣ ପର୍ବ ପରେ ପରେ ୧୨ ସରପଞ୍ଚ ପୁଣି ବିଜେଡ଼ିକୁ ଫେରିଆସିଲେ । ତା’ର ଦିନେ ଦିଦିନ ପରେ ଆଉ ୧୦ ଜଣ ବି ପଦ୍ମ ଶିବିରରୁ ଡିଆଁ ମାରି ଶଙ୍ଖ ଶିବିରକୁ ଚାଲି ଆସିଲେଣି । ପୁଣି ସେଦିନ ୫୫ ନୁହେଁ ୩୧ ସରପଞ୍ଚ ବିଜେପିରେ ମିଶିଥିଲେ ବୋଲି ବିଜେଡ଼ି ଦାବି କରିଥିଲା । ତାହେଲେ ବିଜେପିରେ ମିଶିଲେ କେତେ ? ଏହାଦ୍ୱାରା ବିଜେପିର ଭୋଟ୍ ବଢ଼ିଲା କେତେ ? ଏ ହିସାବଟି କେମିତି ହେବ ? ଅନେକ ବିଜେପି ନେତା ଏକଥା ବି ଜାଣିନାହାନ୍ତି, ଦିଦିନ ତଳେ ପଦ୍ମ ଗାମୁଛା କାନ୍ଧରେ ପକାଇଥିବା ନେତା ଓ କର୍ମୀ ଏବେ ଶଙ୍ଖର ପ୍ରଚାରରେ ମାତିଗଲେଣି । ଯେଉଁ ମାମଲତକାରମାନେ ସେମାନଙ୍କୁ ନେଇ ଦଳରେ ମିଶାଇଥିଲେ ସେମାନେ ଠିକ୍ ହିସାବ ଜାଣିଥିଲେବି ପତିଆରା କମିଯିବା ଭୟରେ ଦଳକୁ ସ୍ପଷ୍ଟ କଥା ଜଣାଉନାହାନ୍ତି । ବିଜେଡ଼ି ଓ କଂଗ୍ରେସରେ ବି ଏହାର ନଜିର ଦେଖିବାକୁ ମିଳିଛି ।
ଇଏ ତ ଛୋଟିଆ ଉଦାହରଣ ମାତ୍ର । ସବୁଦିନ ସବୁ ଦଳରେ ଚାଲିଛି ମିଶ୍ରଣ ପର୍ବ । ବିଜେପି କେଉଁଦିନ ଦି ଶହ ବିଜେଡ଼ି ଓ କଂଗ୍ରେସ କର୍ମୀଙ୍କୁ ନିଜ ଖାଳେଇରେ ଭର୍ତ୍ତି କଲାଣି ବୋଲି କହୁଛି ତ ଆଉ କେତେବେଳେ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ନିଜ ଆଡ଼କୁ ଟାଣିଆଣିଲା ବୋଲି ବିଜେଡ଼ି ବାହାସ୍ଫୋଟ ମାରୁଛି । ସେପଟେ କଂଗ୍ରେସ ବି ପଛରେ ପଡ଼ିନାହିଁ । ନିତିଦିନ ବିଜେଡ଼ି ଓ ବିଜେପି କର୍ମୀ ଦଳ ଛାଡ଼ି ‘ହାତ’ରେ ହାତ ମିଶାଉଛନ୍ତି ବୋଲି ଦଳ କହୁଛି । ଗତ ୮ ଦିନ ଧରି ମିଶ୍ରଣ ପର୍ବ ଯେମିତି ଚାଲିଛି ଫେଡ଼ାଣ ପର୍ବ ବି ସେମିତି ଚାଲିଛି । କେଉଁ ପଞ୍ଚାୟତରେ କେଉଁ ନେତା ମିଶିବା ପରେ କେତେ ଭୋଟ୍ ବଢ଼ିଛି ତାହାର ହିସାବ କିତାବ ତିନି ଦଳ ଏଯାଏଁ ଆରମ୍ଭ କରିନାହାନ୍ତି । କିନ୍ତୁ ପଲା ଭାରି ଦେଖାଇବା ପାଇଁ ସବୁଦିନ ଅମୁକ କର୍ମୀ, ସମୁକ ନେତା ଦଳରେ ମିଶିଲେ, ଆଉ ଆମ ଦଳ ମଜବୁତ୍ ହେଲା ବୋଲି ନେତାମାନେ କହି ବୁଲୁଛନ୍ତି । ଉପର ଠାଉରିଆ ଭାବେ ନେତାମାନେ ସିନା ଏମିତି ମୁହଁ ଭୁରୁଡ଼ି ମାରୁଛନ୍ତି ହେଲେ ମନ କିନ୍ତୁ ବୁଝୁନି କହିଲେ ଭୁଲ୍ ହେବନାହିଁ ।