ଗରିବ କଏଦୀଙ୍କୁ ସାହା ସରକାରୀ ଓକିଲ ; ୫ବର୍ଷରେ ମୁକୁଳିଛନ୍ତି ୮୧୫ କଏଦୀ


 ( ଜିତେନ୍ଦ୍ର ସାହୁ)ଭୁବନେଶ୍ୱର, ୦୫ା୬ : ଗରିବ କଏଦୀଙ୍କ ପାଇଁ ସହାୟ ପାଲଟିଛନ୍ତି ସରକାରୀ ଓକିଲ । ସେମାନଙ୍କୁ କୋର୍ଟରୁ ବେଲ୍ କରି ଜେଲ୍ରୁ ମୁକୁଳାଉଛନ୍ତି । ଏପରିକି ଆଇନ୍ ସେବା ପ୍ରାଧିକରଣଙ୍କ ସଦସ୍ୟମାନେ ମଧ୍ୟ ଥାନାକୁ ଯାଉଛନ୍ତି । ସେଠାରେ ଯଦି କୌଣସି ଗରିବ ବ୍ୟକ୍ତି ଗିରଫ ହେଉଛନ୍ତି । ସେ କିଭଳି ଜେଲ୍ରୁ ମୁକୁଳିବ ତାହାର ଦାୟିତ୍ୱ ମଧ୍ୟ ଏହି ସରକାରୀ ଓକିଲମାନେ ନେଉଛନ୍ତି । ନିୟମିତ ଭାବେ ଜେଲ ଯାଇ ମଧ୍ୟ କଏଦୀଙ୍କୁ ଭେଟି ସମସ୍ୟ ବିଷୟରେ ପଚାରି ବୁଝୁଛନ୍ତି । ଏହିଭଳି ନିକଟରେ ଜେଲ୍ରୁ ବାହାରିଥିବା ରାଜେଶ ରାଉତ କହିଛନ୍ତି । ସେ କହିଛନ୍ତି ମୋର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିଲା । ଏକ ଗଣ୍ଡଗୋଳ ମାମଲାରେ ପୁଲିସ ଗିରଫ କରି ଜେଲ ପଠାଇଥିଲା । କିନ୍ତୁ ମୋର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଓକିଲ କରି କେସ୍ ଲଢିବା ମୋ ପକ୍ଷରେ ସକ୍ଷମ ନଥିଲା । ଭାବିଲି ଜାମିନ ନ ମିଳିବାରୁ ଜେଲ ଭିତରେ ଦିନ କଟିିବ । କିନ୍ତୁ ସରକାରୀ ଓକିଲର ସୁବିଧା ମିଳିବା ପରେ ସହଜରେ ଜେଲରୁ ଜାମିନରେ ମୁକୁଳି ପାରିଲି ବୋଲି କହିଛନ୍ତି । ସେ ଗତ କିଛି ମାସ ହେବ ଜେଲରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସରକାରୀ ଓକିଲ ଦିଆଯିବା ଦ୍ୱାରା ସେ ଜାମିନ୍ରେ ଆସିଛନ୍ତି । କେବଳ ରାଜେଶ ନୁହେଁ ଝାରପଡ଼ା ଜେଲରେ ରହୁଥିବା ଏଭଳି ଆର୍ଥିକ ଦୁର୍ବଳ ଶ୍ରେଣୀର କଏଦୀଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍) ପକ୍ଷରୁ ମାମଲା ଲଢିବା ପାଇଁ ସରକାରୀ ଓକିଲ ପ୍ରଦାନ କରାଯାଉଛି । ଯାହାଫଳରେ ଅନେକ କଏଦୀ ଏହାଦ୍ୱାରା ଲାଭବାନ ହେଉଛନ୍ତି । ଦେଖିବାକୁ ଗଲେ ଗତ ୫ ବର୍ଷରେ ଝାରପଡ଼ା ଜେଲରେ ଥିବା ୮୧୫ କଏଦୀ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ୱାରା ସରକାରୀ ଓକିଲ ପାଇ ଜେଲରୁ ମୁକୁଳିଛନ୍ତି ।  ମିଳିଥିବା ତଥ୍ୟ ଅନୁସାରେ,୨୦୧୮ରେ ୧୨୫ଜଣ କଏଦୀ ମୁକୁଳି ଥିବାବେଳେ ୨୦୧୯ରେ ୧୩୦ କଏଦୀ ଏହି ବ୍ୟବସ୍ଥା ଦ୍ୱାରା  ଜେଲରୁ ମୁକୁଳିଛନ୍ତି । ସେହିପରି ୨୦୨୦ରେ ୧୨୦ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର କଏଦୀ ଏହି ବ୍ୟବସ୍ଥା ଦ୍ୱାରା ଜେଲରୁ ମୁକୁଳିଛନ୍ତି । ୨୦୨୧ ଜାନୁୟାରୀ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ଶହ ଜଣ ଏବଂ ୨୦୨୨ରେ ୨୧୦ କଏଦୀ ପାଇଥିବା ବେଳେ ୨୦୨୩ ବର୍ତ୍ତମାନ ସୁଦ୍ଧା ୩୦ ଜଣ ପାଇଛନ୍ତି ସରକାରୀ ଓକିଲ ସୁବିଧା ।
    ବିଶେଷ କରି ଅନେକ ସମୟରେ ପରିସ୍ଥିତିରେ ପଡି କେତେକ ବ୍ୟକ୍ତି ଅପରାଧ କରିଥାନ୍ତି । କିନ୍ତୁ ସେମାନଙ୍କ ଆର୍ଥôକ ଅବସ୍ଥା ଠିକ୍ ନଥିବାରୁ ସେମାନଙ୍କ ମାମଲା ପରିଚାଳନା କରିବା ପାଇଁ ଓକିଲ କରିପାରନ୍ତି ନାହିଁ । ଯାହାଫଳରେ ବିନା ଓକିଲରେ ତାଙ୍କର ଜାମିନ ମିଳିବା କାଠିକର ପାଠ ହୋଇଥାଏ । ଯେଉଁଥି ପାଇଁ ସାମାନ୍ୟ ଅପରାଧ ପାଇଁ କଏଦୀ ଜଣଙ୍କ ଦୀର୍ଘଦିନ ଜେଲ ଭିତରେ ଦିନ କଟାଇଥାଏ । କିନ୍ତୁ ସୁପ୍ରମି କୋର୍ଟଙ୍କ ନିୟମ ଆଧାରରେ ଏହି ଆର୍ଥିକ ଦୁର୍ବଳ ଶ୍ରେଣୀର କଏଦୀଙ୍କୁ ସରକାରୀ ଓକିଲ ଯୋଗାଇ ଦେବା ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ବ୍ୟବସ୍ଥା କରାଯାଇଛି । ଏପରିକି ହାଇକୋର୍ଟରେ ମଧ୍ୟ ଜିଲ୍ଲା ଆଇନି ସେବା ପ୍ରାଧିକରଣ ବ୍ୟବସ୍ଥା ରହିଛି । ଝାରପଡ଼ା ଜେଲ ଭିତରେ ରହୁଥିବା ଯେଉଁ କଏଦୀ ଟଙ୍କା ଦେଇ ଓକିଲ କରିବାକୁ  ସକ୍ଷମ ହେଉନାହାଁନ୍ତି । ସେମାନେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସହାୟତା ନେଇପାରୁଛନ୍ତି । କେଉଁ କଏଦୀ ବ୍ୟକ୍ତିଗତ ଓକିଲ କରିପାରୁନାହାଁନ୍ତି, କେତେ ଦିନ ଜେଲ ଭିତରେ ରହିଲେଣି? ତାର ଆର୍ଥିକ ଅବସ୍ଥା ସତରେ ଦୁର୍ବଳ କି? ଏସବୁ ବିଷୟରେ ଅନୁଦ୍ଧାନ କରିବେ ଜେଲରେ ଥିବା ୱେଲଫେୟାର ଅଧିକାରୀଙ୍କର । ଉକ୍ତ ଅଧିକାରୀ ଝାରପଡ଼ା ଜେଲର ବିଭିନ୍ନ ୱାର୍ଡକୁ ବୁଲି କେଉଁମାନେ ଓକିଲ କରିପାରୁନାହାଁନ୍ତି ତାହା ପଚାରି ବୁଝିଥାନ୍ତି । ଯେଉଁ କଏଦୀର ଆର୍ଥିକ ଅବସ୍ଥା ଭଲ ନଥିବ ତାଙ୍କୁ ଏହି   ଯୋଜନାରେ ଯୋଡ଼ାଯିବ । କଏଦୀ ଜଣଙ୍କ ଜେଲର ଅଧିକ୍ଷକଙ୍କ ଜରିଆରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିକଟରେ ସରକାରୀ ଓକିଲ ସହାୟତା ପାଇଁ ଆବେଦନ କରାଯିବ । ଏହାପରେ କଏଦୀଙ୍କ ମାମଲାକୁ ପରିଚାଳନା କରିବା ପାଇଁ ଜଣେ ସରକାରୀ ଓକିଲ ପ୍ରଦାନ କରାଯିବ । ଓକିଲ ଜଣଙ୍କ କଏଦୀଙ୍କ ଲାଗି କୋର୍ଟରେ ଜାମିନ୍ ପାଇଁ ଆବେଦନ କରିବା ସହ କଏଦୀଙ୍କ ପକ୍ଷର ରଖିବେ । ବିଶେଷ କରି ମହିଳା କଏଦୀଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କାରଣ ଅନେକ ମହିଳା କଏଦୀ ଆର୍ଥôକ ଅବସ୍ଥା ଭଲ ନଥିବା କାରଣରୁ ସେମାନେ ଓକିଲ କରିପାରନ୍ତି ନାହିଁ ।